ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ନିଜେ ମୁଖ୍ୟମନ୍ତ୍ରୀ ନହୋଇ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କଲେ ତାହା ରାଜନୈତିକ ମହଲରେ ଭୂକମ୍ପ ଆଣିଥିଲା। ରାଜ୍ୟ ବିଜେପି ନେତୃବୃନ୍ଦ ମଧ୍ୟ ଫଡ଼ନାବିସଙ୍କ ଏହି ଘୋଷଣାରେ ସ୍ତବ୍ଧ ହୋଇଯାଇଥିଲେ। ତେବେ ବିଜେପିର ଏହି ମାଷ୍ଟରଷ୍ଟ୍ରୋକ୍ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁଚିନ୍ତିତ ରଣନୀତି ରହିଛି। ବିଜେପି ଏବେ ଶିବସେନାକୁ ‘ମାତୋଶ୍ରୀ’ ମୁକ୍ତ ଏବଂ ପରିବାରବାଦରୁ ମୁକ୍ତ କରିବାକୁ ଯାଉଛି। ରାଜ୍ୟର ସବୁଠାରୁ ବଡ଼ ଦଳ ବିଜେପି ଜଣେ ଶିବ ସୈନିକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରି ଠାକରେ ପରିବାରର ଭବିଷ୍ୟତ ରାଜନୀତି ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ମହାରାଷ୍ଟ୍ର ରାଜନୀତିରେ ଏବେ ହିନ୍ଦୁତ୍ବ ରାଜନୀତିର ନୂଆ ଯୁଗ ଆରମ୍ଭ ହୋଇଛି ଏବଂ ମୋଦୀ ମଡେଲ ଦ୍ବାରା ଶିବସେନା ଭଳି ଏକ କ୍ୟାଡରଭିତ୍ତିକ ଦଳ ଠାକରେ ପରିବାରର ନିୟନ୍ତ୍ରଣରୁ ମୁକ୍ତ ହେବାକୁ ଯାଉଛି।
ବିଜେପି ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରି ପଛକୁ ହଟିବା ଭଳି ପଦକ୍ଷେପ ନେଇଛି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଅସଲରେ ଆଗକୁ ଏକ ବଡ଼ ଲମ୍ଫ ପାଇଁ ପ୍ରସ୍ତୁତି ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲ ମତ ରଖିଛନ୍ତି। ଏକନାଥ ସିନ୍ଦେଙ୍କ ନେତୃତ୍ବରେ ସରକାର ଗଠନ ହେବାରୁ ଆଗକୁ ମହାରାଷ୍ଟ୍ର ରାଜନୀତିରେ ସିନ୍ଦେ ଗୋଷ୍ଠୀକୁ ଶିବସେନାର ଅନ୍ୟ ବିଧାୟକଙ୍କ ସମର୍ଥନ ମଧ୍ୟ ମିଳିବ। ସିନ୍ଦେ ଆଗକୁ ଶିବସେନାକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପାଇଁ ସବୁ ପ୍ରୟାସ କରିବେ ଏବଂ ଠାକରେ ମୁକ୍ତ ଶିବ ସେନା ସ୍ଥାପନା ପାଇଁ ରାସ୍ତା ଖୋଲିଯିବ । ଉଦ୍ଧବ ଠାକରେ ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରିବା ପରଠାରୁ ହିନ୍ଦୁତ୍ବ ବିରୋଧୀ ଭାବେ ସମାଲୋଚିତ ହୋଇଆସୁଥିଲେ। ହିନ୍ଦୁତ୍ବ ପ୍ରସଙ୍ଗରେ ଦେଶର ଏକ ପ୍ରମୁଖ ରାଜ୍ୟରେ ସରକାରର ପତନ ସହ ବିଜେପି ନୂଆ ରଣନୀତି ପ୍ରୟୋଗ କରିଛି। ଏନ୍ସିପି ଓ କଂଗ୍ରେସ ପାଇଁ ମଧ୍ୟ ମୋଦୀ-ଶାହଙ୍କ ଏହି ରଣନୀତି ସଙ୍କଟ ବଢ଼ାଇ ଦେଇଛି।