ଚୀନ: ଏସ୍‌ସିଓ ମଞ୍ଚରେ ପାକିସ୍ତାନୀ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ମାତ୍ର ୧୦ ସେକେଣ୍ଡ ହେଲା ଆଲୋଚନା

ଚିଙ୍ଗଦାଓ: ଭାରତ ଓ ପାକିସ୍ତାନ ପ୍ରଥମ ଥର ସଦସ୍ୟ ଭାବରେ ସାଙ୍ଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଚୀନର ଚିଙ୍ଗଦାଓରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ଓ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି।

ଏହାରି ଭିତରେ ଏସସିଓ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବୁଝାମଣା ନେଇ ହସ୍ତାକ୍ଷର ହୋଇଛି, ଏହା ପରେ ମଞ୍ଚ ଉପରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ମାମଲା ହେଲା ଯେ, ଚୀନ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟୁଥିବା ବେଳେ ପାକିସ୍ତାନରୁ ପ୍ରତିନିଧିତ୍ୱ କରିଥିବା ରାଷ୍ଟ୍ରପତି ମମନୁନ ହୁସେନ ପହଞ୍ଚି ଯାଇଥିଲେ। ମମନୁନ ହୁସେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତି ନିକଟରେ ପହଞ୍ଚି ଯାଇଥିଲେ। ମୋଦି ଆଗକୁ ବଢ଼ି ଯାଇଥିଲେ।

ଅଭିନନ୍ଦନ ପାଇଁ ପ୍ରଥମେ ହାତ ବଢ଼ାଇଲେ ପାକ୍‌ ରାଷ୍ଟ୍ରପତି

ପାକିସ୍ତାନର ରାଷ୍ଟ୍ରପତି ମମନୁନ ହୁସେନ ଅଭିନନ୍ଦନ ଜଣାଇବା ପାଇଁ ପ୍ରଥମେ ମୋଦିଙ୍କ ଆଡ଼କୁ ହାତ ବଢ଼ାଇ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ହୁସେନଙ୍କ ଇଚ୍ଛାକୁ ପୂରା କରିଥିଲେ। କେବଳ ସେତିକିରେ କଥା ଅଟକି ନଥିଲା। ମୋଦି-ମମନୁନୁ ଆହୁରି ନିକଟତର ହୋଇ କିଛି କଥାବାର୍ତ୍ତା ବି ହୋଇଥିଲେ। ମଞ୍ଚ ଉପରେ ମୋଦିଙ୍କ ପଛରେ ହୁସେନ ଯାଉଥିଲେ। ମୋଦି ଓ ମମନୁନଙ୍କ ମଧ୍ୟରେ ପାଖାପାଖି ୧୦ ସେକେଣ୍ଡ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ହୁସେନଙ୍କ ସହିତ ଆଲୋଚନା କରୁଥିବା ଭିଡିଓରେ ଦେଖାଯାଉଛି।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୪ ବର୍ଷର କାର୍ଯ୍ୟକାଳରେ ୧୪ ଥର ଚୀନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଚୀନର ଚିଙ୍ଗଦାଓ ସହରରେ ଆୟୋଜିତ ଏସସିଓ ଶିଖର ସମ୍ମିଳନୀକୁ ସେ ଶନିବାର ୨ ଦିନିଆ ଗସ୍ତରେ ଯାଇଛନ୍ତି।

ସମ୍ବନ୍ଧିତ ଖବର