କ୍ୱାରାଣ୍ଟାଇନରେ ଯିବାକୁ ମୋଦୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ : ରାଷ୍ଟ୍ରପତିଙ୍କୁ କଂଗ୍ରେସର ପତ୍ର
ନୂଆଦିଲ୍ଲୀ : ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାନ୍ତବାସରେ ରହିବା ଆବଶ୍ୟକ । ଏଥିଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ଏ ସଂପର୍କରେ କଂଗ୍ରେସ ମୁଖପାତ୍ର କେହସିନ ପୁନାଓ୍ଵାଲା ରାଷ୍ଟ୍ରପତିଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି । ନିଜ ପତ୍ରରେ ସେ ଲେଖିଛନ୍ତି ଯେ ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମନ୍ଦିର ନିର୍ମାଣ ଟ୍ରଷ୍ଟର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ନିକଟତର ହୋଇଥିଲେ । ଇତିମଧ୍ୟରେ ନୃତ୍ୟ ଗୋପାଳ ଦାସ କରୋନା ପଜିଟିଭ ବାହାରିଥିବାରୁ ଆଇସିଏମଆର ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଅନୁସାରେ ମୋଦୀ କ୍ୱାରାଣ୍ଟାଇନରେ ରହିବା ଆବଶ୍ୟକ ।
ଚଳିତ ମାସ ପ୍ରାରମ୍ଭରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ହେବା ପରେ ମଧ୍ୟ ମୋଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଜୁଲାଇ ଶେଷ ସପ୍ତାହରେ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅମିତ ଶାହା ଯୋଗ ଦେଇଥିଲେ । ଫଳରେ କ୍ୟାବିନେଟର ଅନ୍ୟ କେତେକ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା । ଏହାକୁ ଠିକ ପ୍ରମାଣିତ କରି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ପଜିଟିଭ ବାହାରି ଥିଲେ । ଏଣୁ ମୋଦୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।