ଏନ୍‌ଡିଏ-୩ର ଚିତ୍ର ଦେଖାଇଲେ ମୋଦୀ

ପୁରୁଣା ସହଯୋଗୀଙ୍କ ପାଇଁ ଦ୍ବାର ଖୋଲା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ମହାମେଣ୍ଟର ରାସ୍ତା ରୋକିବା ପାଇଁ ବିଜେପି ଏବେ ସଜବାଜ ହେଉଛି। ଏନ୍‌ଡିଏ-୧ ଏବଂ ଏନ୍‌ଡିଏ-୨ ସରକାରରେ ଯେଭଳି ମେଣ୍ଟଧର୍ମ ପାଳନ ହେଉଥିଲା ତାହାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ଏବଂ ପୁରୁଣା ମେଣ୍ଟ ସହଯୋଗୀଙ୍କ ପାଇଁ ବିଜେପିର ଦ୍ବାର ସର୍ବଦା ଖୋଲା ବୋଲି କହିଛନ୍ତି। ଏକ ଶକ୍ତିଶାଳୀ ଏନ୍‌ଡିଏ କେବଳ ବିଶ୍ବସ ଉପରେ ଆଧାରିତ ହେବ ବୋଲି ମୋଦୀ କହିଛନ୍ତି।
ଲୋକସଭା ନିର୍ବାଚନ ପାଇଁ ବିଜେପି ଏବେ ପ୍ରସ୍ତୁତି ଜୋର୍‌ଦାର କରିବା ସହ ପୂର୍ବ ରଣନୀତିରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିବାକୁ ଆଗଭର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଏକ ବଡ଼ ମେଣ୍ଟର ସଙ୍କେତ ଦେଉଛି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ୨୦୧୪ର ସଫଳତା ଦୋହରାଇବା ପାଇଁ ଏବେ ପୁରୁଣା ସହଯୋଗୀଙ୍କ ସହ ମେଣ୍ଟ ଗଠନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଆମେ ପୁରୁଣା ସହଯୋଗୀଙ୍କୁ ସର୍ବଦା ସମ୍ମାନ କରିଆସିଛୁ ଏବଂ ସେମାନଙ୍କୁ ବିଜେପି ସହ ମେଣ୍ଟରେ ସାମିଲ ହେବାକୁ ମୁଁ ଆମନ୍ତ୍ରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ନେଇ ମୋଦୀ ତାମିଲନାଡ଼ୁର ରାଜନୈତିକ ଦଳଙ୍କ ଆଡ଼କୁ ବନ୍ଧୁତାର ହାତ ବଢ଼ାଇଛନ୍ତି। ସୂଚନାଯୋଗ୍ୟ ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେ ପୂର୍ବରୁ ମଧ୍ୟ କେନ୍ଦ୍ରରେ ବିଜେପିର ସହଯୋଗୀ ରହିଆସିଛନ୍ତି। ଚେନ୍ନାଇର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଆଜି ମୋଦୀ କହିଥିଲେ ଯେ ପୁରୁଣା ସହଯୋଗୀଙ୍କୁ ସ୍ବାଗତ କରିବାକୁ ବିଜେପି ପ୍ରସ୍ତୁତ ରହିଛି। ୨୦ ବର୍ଷ ତଳେ ଅଟଳଜୀ ସଫଳ ମେଣ୍ଟ ରାଜନୀତିର ସଂସ୍କୃତି ଆଣିଥିଲେ ଏବଂ ବିଜେପି ସର୍ବଦା ଏହି ନୀତିରେ ବିଶ୍ବାସ ରଖୁଛି। କଂଗ୍ରେସକୁ ସମାଲୋଚନା କରି ମୋଦୀ କହିଛନ୍ତି, କଂଗ୍ରେସ କେବଳ ଦୁର୍ନୀତି ଏବଂ ଆର୍ଥିକ କୁପରିଚାଳନା ପାଇଁ ବିଫଳ ହୋଇନାହିଁ, ଏହା ଦେଶର ସେନା ପ୍ରତି ମଧ୍ୟ ବଡ଼ କ୍ଷତି ପହଞ୍ଚାଇଛି। ଦୀର୍ଘ ବର୍ଷ ଧରି କଂଗ୍ରେସ ପ୍ରତିରକ୍ଷା କ୍ଷେତ୍ରରେ ଦଲାଲଙ୍କ ମାଧ୍ୟମରେ କାମ କରୁଥିଲା ଏବଂ ଏଥିରେ ଦୁର୍ନୀତି ଭରି ରହୁଥିଲା। କଂଗ୍ରେସର ପ୍ରଥମ ପରିବାର ସହିତ ଘନିଷ୍ଠ ଜଣେ ଦଲାଲଙ୍କୁ ଏବେ ଗିରଫ କରି ଭାରତ ଅଣାଯାଇଛି ଏବଂ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର