ରାଜସ୍ଥାନ ‘ଡ୍ରାମା’କୁ ମୋଦୀ ବନ୍ଦ କରନ୍ତୁ: ଗେହଲଟ

ହାଇ କମାଣ୍ଡ୍‌ କ୍ଷମା କଲେ ବିଦ୍ରୋହୀ ବିଧାୟକଙ୍କୁ ଫେରାଇ ଆଣିବୁ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜସ୍ଥାନରେ ଚାଲିଥିବା ରାଜନୈତିକ ଡ୍ରାମା ବନ୍ଦ କରିବାପାଇଁ ଅନୁରୋଧ କରିଛନ୍ତି। ଗେହଲଟ୍‌ କହିଛନ୍ତି କାହା ସହ ଆମର ବ୍ୟକ୍ତିଗତ ଶତ୍ରୁତା ନାହିଁ। ଗଣତନ୍ତ୍ରରେ ବିଚାରଧାରା, ନୀତିନିୟମ ଏବଂ କାର୍ଯ୍ୟକ୍ରମକୁ ନେଇ ଲଢ଼େଇ ହୋଇଥାଏ । କିନ୍ତୁ ସରକାର ଭାଙ୍ଗିବାପାଇଁ ଲଢ଼େଇ ହୋଇନଥାଏ। ରାଜସ୍ଥାନରେ ସରକାର ଭାଙ୍ଗିବାପାଇଁ ଯେଉଁ ଡ୍ରାମା ଚାଲିଛି ତାହାକୁ ପ୍ରଧାନମନ୍ତ୍ରୀ ମୋଦୀ ବନ୍ଦ କରିଦେବା ଉଚିତ୍‌ ବୋଲି ଗେହଲଟ୍‌ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବା ଉଚିତ୍‌ ବୋଲି ଗେହଲଟ୍‌ କହିଛନ୍ତି।

ଅନ୍ୟପକ୍ଷେ ଦଳର ବିଦ୍ରୋହୀ ନେତାମାନଙ୍କୁ ଯଦି ହାଇ କମାଣ୍ଡ୍‌ କ୍ଷମା କରିଦେବେ ତେବେ ସେମାନଙ୍କୁ ମୁଁ ସ୍ବାଗତ କରିବି ବୋଲି ଗେହଲଟ୍‌ କହିଛନ୍ତି। ଗତମାସରେ ଗେହଲଟ୍‌ ଏବଂ ତାଙ୍କ ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ କ୍ଷମତା ଲଢ଼େଇ ହେବା ପରଠାରୁ ବରିଷ୍ଠ କଂଗ୍ରେସ ନେତା ନେତା ତାଙ୍କ ବି‌ରୋଧରେ କଟୁ ଶବ୍ଦ ବ୍ୟବହାର କରିଛନ୍ତି। ତାଙ୍କୁ ମୂଲ୍ୟହୀନ ଏବଂ ନିକମା ବୋଲି ମଧ୍ୟ କହିଥିଲେ। ଗେହଲଟ୍‌ ଅଭିଯୋଗ କରିଛନ୍ତି ଯେ, ଶେଖାୱତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସରକାର ଭାଙ୍ଗିବାପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ବିଏସ୍‌ପି ମୁଖ୍ୟ ମାୟାବତୀ ମଧ୍ୟ ବିଜେପି ଚାପରେ ମତ ରଖୁଛନ୍ତି ଏବଂ ସମସ୍ତ ପୂର୍ବତନ ୬ ବିଏସ୍‌ପି ବିଧାୟକ ଆଇନଗତ ଭାବେ କଂଗ୍ରେସରେ ମିଶିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର