ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ଉଭୟ କଂଗ୍ରେସ ଓ ଆପ୍‌ ଉପରେ ବର୍ଷିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ବିତର୍କର ଉତ୍ତର ଦେବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁଇ ବିରୋଧୀ ଦଳକୁ ପ୍ରବଳ ସମାଲୋଚନା କରିଛନ୍ତି। ଏଥିସହିତ ତାଙ୍କ ସରକାରଙ୍କ ଅମଳରେ ହୋଇଥିବା ବିକାଶମୂଳଳକ କାର୍ଯ୍ୟ ସଂପର୍କରେ ଅବତାରଣା କରିଛନ୍ତି। 

Advertisment

ମୋଦୀ କହିଛନ୍ତି, ତାଙ୍କ ଦଳ ଲୋକଙ୍କୁ ଫମ୍ପା ସ୍ଲୋଗାନ ନୁହେଁ, ବାସ୍ତବ ବିକାଶ ଦେଇଛି। କିଛି ଦଳ ନିର୍ବାଚନ ସମୟରେ ଅନେକ କିଛି ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ଯୁବକଙ୍କ ଭବିଷ୍ୟତ ପାଇଁ ‘ଆପ୍‌-ଦା’ ପାଲଟନ୍ତି। ୫ ଦଶନ୍ଧି ଧରି ଆମେ ଗରିବୀ ହଟାଓ ସ୍ଲୋଗାନ ଶୁଣୁଥିଲୁ। କିନ୍ତୁ ଆମେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ମୁକୁଳାଇ ପାରିଛୁ। ଯେଉଁମାନେ ବସ୍ତିରେ ଗରିବଙ୍କ ସହ ଫଟୋ ସେସନ କରନ୍ତି ସେମାନଙ୍କୁ ଗରିବ ଲୋକଙ୍କ ଉପରେ ଆଲୋଚନା ବିରକ୍ତିକର ଲାଗିଥାଏ। କେଜ୍ରିୱାଲକୁ ସମାଲୋଚନା କରିବାକୁ ଯାଇ ମୋଦୀ କହିଥିଲେ କିଛି ନେତା ବିଳାସପୂର୍ଣ୍ଣ ବାଥ୍‌ ଟବ୍‌ ଏବଂ ଷ୍ଟାଇଲଯୁକ୍ତ ସାୱାର୍‌ ଉପରେ ଧ୍ୟାନ ଦେଇଥାନ୍ତି। କିନ୍ତୁ ପ୍ରତ୍ୟେକ ଘରେ ପାନୀୟ ଜଳ ପହଞ୍ଚିବା ଉପରେ ଆମେ ଗୁରୁତ୍ବ ଦେଇଛୁ। ଆମ ସରକାର ୧୨ କୋଟି ପରିବାରକୁ ଟ୍ୟାପ୍‌ ଯୋଗେ ଜଳ ଯୋଗାଇ ଦେଇଛି। ସରକାରୀ ଯୋଜନାରୁ ୧୦ କୋଟି ନକଲି ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଦା କରିପାରିଛୁ। ଆମର ମଡେଲ ହେଲା ସଞ୍ଚୟ ବି, ବିକାଶ ବି। ଲୋକଙ୍କ ପଇସା ଲୋକଙ୍କ ପାଇଁ। ଆମେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା କାର୍ଯ୍ୟକାରୀ କରିଛୁ। ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ୪୦ ଲକ୍ଷ କୋଟି ଟଙ୍କା ଜମା କରିଛୁ। ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଉତ୍ତର ସେ ୧୪ଥର ପାଇଁ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବୋଲି ମୋଦୀ କହିଥିଲେ।

ଏନ୍‌ଡିଏ ସର୍ବଦା ଦୂରଦୃଷ୍ଟି ରଖି କାମକରେ
ଆମ ସମ୍ବିଧାନ ଭେଦଭାବ ଶିଖାଇ ନଥାଏ

ଜଣେ ପ୍ରଧାନମନ୍ତ୍ରୀଙ୍କୁ ମିଷ୍ଟର କ୍ଲିନ କହିବା ଫେସନରେ ପରିଣତ ହୋଇଥିଲା। କିନ୍ତୁ ସେ ସ୍ବୀକାର କରିଥିଲେ ଯେ ଦିଲ୍ଲୀରୁ ୧ ଟଙ୍କା ପଠାଗଲେ ଲୋକଙ୍କ ନିକଟରେ ୧୫ ପଇସା ପହଞ୍ଚୁଛି। ଆମେ ସରକାରଙ୍କ ଅର୍ଥକୁ ଶୀଶ୍‌ ମହଲରେ ବ୍ୟବହାର କରିନାହୁଁ ବୋଲି ମୋଦୀ କହି କେଜ୍ରିୱାଲଙ୍କୁ ସମାଲୋଚନା କରିଥିଲେ। ଜଣେ ପ୍ରଧାନମନ୍ତ୍ରୀ ଏକବିଂଶ ଶତାବ୍ଦୀ ସଂପର୍କରେ ବାରମ୍ବାର କହୁଥିଲେ। ସେହି ସମୟରେ କାର୍ଟୁନିଷ୍ଟ ଆର୍‌କେ ଲକ୍ଷ୍ମଣ ଏକ କୌତୂହଳପୂର୍ଣ୍ଣ ବ୍ୟଙ୍ଗଚିତ୍ର ପ୍ରସ୍ତୁତ କରିଥିଲେ। ସେଥିରେ ଏକ ବିମାନ ଏବଂ ଜଣେ ପାଇଲଟ ଥିଲେ। କିନ୍ତୁ ତାହା ଏକ ଠେଲାଗାଡ଼ି ଉପରେ ରଖାଯାଇଥିଲା ଏବଂ ଶ୍ରମିକମାନେ ତାହାକୁ ଠେଲୁଥିଲେ। ସେଥିରେ ଏକବିଂଶ ଶତାବ୍ଦୀ ଲେଖାହୋଇଥିଲା। ସେହି କାର୍ଟୁନ ପ୍ରଧାନମନ୍ତ୍ରୀଙ୍କ ଫମ୍ପା ଆୱାଜ ସଂପର୍କରେ ବଖାଣୁଥିଲା। ସେ ବାସ୍ତବତା ସହିତ ନଥିଲେ। ଯେଉଁ କାର୍ଯ୍ୟ ଅନେକ ଦଶନ୍ଧି ପୂର୍ବରୁ ହେବାକୁ ଥିଲା ତାହା ଆଜି ଆମକୁ କରିବାକୁ ପଡ଼ୁଛି ବୋଲି ମୋଦୀ କହିଥିଲେ।

ହରିୟାଣା ଏବଂ ମହାରାଷ୍ଟ୍ରରେ ବିଜେପି ହାସଲ କରିଥିବା ଐତିହାସିକ ବିଜୟ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଦେଶର ମଧ୍ୟବିତ୍ତ ଶ୍ରେଣୀ ପାଇଁ ଆମ ସରକାର ଗର୍ବିତ ଏବଂ ସେମାନଙ୍କୁ ସବୁବେଳେ ସହାୟତା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜମ୍ମୁ କଶ୍ମୀରରୁ ଆମେ ଧାରା ୩୭୦ ଉଚ୍ଛେଦ କରିଛୁ। ବର୍ତ୍ତମାନ ଜମ୍ମୁ କଶ୍ମୀରବାସୀ ସେମାନଙ୍କର ସମସ୍ତ ଅଧିକାର ସମ୍ବିଧାନ ଅଧୀନରେ ପାଉଛନ୍ତି। କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ଯାଇ ମୋଦୀ କହିଥିଲେ ଆମ ସମ୍ବିଧାନ ଆମକୁ ଭେଦଭାବ ଶିଖାଇ ନଥାଏ। କିନ୍ତୁ ଯେଉଁମାନେ ପକେଟରେ ସମ୍ବିଧାନ ଧରି ବୁଲୁଛନ୍ତି ସେମାନେ ମୁସଲିମ ମହିଳାଙ୍କ ପାଇଁ କେବେ ବି ଯତ୍ନବାନ ନଥିଲେ। ଏନ୍‌ଡିଏ ସର୍ବଦା ମନରେ ଦୂରଦୃଷ୍ଟି ରଖି କାର୍ଯ୍ୟ କରିଥାଏ। ସେହିଭଳି ଜାତି ସଂପର୍କରେ କହିବା କେତେକଙ୍କ ପାଇଁ ଫ୍ୟାସନରେ ପରିଣତ ହୋଇଛି। କିନ୍ତୁ ଆମେ ଓବିସି ବର୍ଗକୁ ସାମ୍ବିଧାନିକ ଅଧିକାର ଦେଇଛୁ।

ସମାଜର ଅବହେଳିତ ବର୍ଗର ଲୋକଙ୍କୁ ସହାୟତା ଦେବା ପାଇଁ ଆମେ ଦକ୍ଷତା ବିକାଶ ମନ୍ତ୍ରାଳୟ ଗଠନ କରିଛୁ। ସେହିଭଳି ସମବାୟ ମନ୍ତ୍ରାଳୟ ମଧ୍ୟ ଗଠନ କରାଯାଇଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ତାଙ୍କ ବିଦେଶ ନୀତିକୁ ମୋଦୀ ସମାଲୋଚନା କରିଥିଲେ। ଏଥିପାଇଁ ସେ ଜଣେ ବିଦେଶୀ ବିଶେଜ୍ଞଙ୍କ ଦ୍ବାରା ଲିଖିତ‘ଜେଏଫକେ୍‌’ସ୍‌ ଫରଗ‌ଟନ କ୍ରାଇସିସ୍‌’ ପଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ବିଦେଶ ନୀତି ନାମରେ ଦେଶ ସହିତ ହୋଇଥିବା ଖେଳ ସଂପର୍କରେ ସେଥିରେ ଉଲ୍ଲେଖ ରହିଛି ବୋଲି  ମୋଦୀ କହିଛନ୍ତି। ଦେଶର ରାଷ୍ଟ୍ରପତି ଜଣେ ମହିଳା ଏବଂ ସେ ଗରିବ ପରିବାରରୁ ଆସିଛନ୍ତି। ତାଙ୍କୁ ଆପଣମାନେ ସମ୍ମାନ ଦେଇ ନପାରନ୍ତି, ‌ତାହା ଗୋଟିଏ କଥା, କିନ୍ତୁ ତାଙ୍କ ବିରୋଧରେ ଯାହାସବୁ କୁହାଗଲା ତାହାର କାରଣ କ’ଣ ହୋଇପାରେ ବୋଲି ମୋଦୀ ପଚାରିଛନ୍ତି। ଏଥିସହିତ ବଜେଟ୍‌ରେ ଆୟକର ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ସହିତ ଅନ୍ୟାନ୍ୟ ଯୋଜନା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ବଖାଣିଛନ୍ତି।