ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଦ୍ବିତୀୟ ବିଶ୍ବ ଯୁଦ୍ଧରେ ବିଜୟର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ସମାରୋହର ସଫଳତା ଏବଂ ରୁଷରେ ସାମ୍ବିଧାନିକ ସଂଶୋଧନ ଉପରେ ଭୋଟର ସଫଳ ସମାପନ ଲାଗି ପ୍ରଧାନମନ୍ତ୍ରୀ ପୁଟିନଙ୍କୁ  ଅଭିନନ୍ଦନ ଜ୍ଞାପନ କରିଥିଲେ।

Advertisment

ପ୍ରଧାନମନ୍ତ୍ରୀ ୨୪ ଜୁନରେ ମସ୍କୋରେ ଆୟୋଜିତ ସାମରିକ ପରେଡରେ ଏକ ଭାରତୀୟ ସୈନ୍ୟ ଦଳ ଅଂଶଗ୍ରହଣ ବିଷୟରେ ଉଲ୍ଲେଖ କରିଥିଲେ। ଏହାକୁ ସେ ଭାରତ ଓ ରୁଷର ଜନସାଧାରଣଙ୍କ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ବର ପ୍ରତୀକ ବୋଲି କହିଥିଲେ।

ଉଭୟ ନେତା କୋଭିଡ-୧୯ ବୈଶ୍ବିକ ମହାମାରୀର ନକାରାତ୍ମକ ପରିଣାମକୁ ଦୂର କରିବା ଲାଗି ଦୁଇ ଦେଶ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରଭାବୀ ଉପାୟ ବିଷୟରେ ଆଲୋଚନା କରିଥିଲେ। କୋଭିଡ ପରବର୍ତ୍ତୀ ବିଶ୍ବରେ ସମ୍ଭାବ୍ୟ ଆହ୍ବାନର ମିଳିମିଶି ମୁକାବିଲା କରିବା ଲାଗି ଭାରତ ଓ ରୁଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ମହତ୍ବ ବିଷୟରେ ସହମତି ବ୍ୟକ୍ତ କରିଥିଲେ।

ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କ ପରାମର୍ଶକୁ ତ୍ବରାନ୍ବିତ କରିବା ଲାଗି ସହମତ ହୋଇଥିଲେ, ଯାହାଦ୍ବାରା ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା ବାର୍ଷିକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀ ଆୟୋଜନ କରାଯାଇପାରିବ। ପ୍ରଧାନମନ୍ତ୍ରୀ ଦ୍ବିପାକ୍ଷିକ ଶିଖର ସମ୍ମିଳନୀ ଲାଗି ଭାରତରେ ପୁତିନଙ୍କୁ ସ୍ବାଗତ କରିବା ଲାଗି ନିଜର ଉତ୍ସୁକତା ବ୍ୟକ୍ତ କରିଥିଲେ।

ରାଷ୍ଟ୍ରପତି ପୁଟିନ ଫୋନ କଲ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସାମରିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇଥିଲେ।