ଚନ୍ଦ୍ରବାବୁଙ୍କ ସହ କଥାହେଲେ ମୋଦି, ନିଷ୍ପତ୍ତିରେ ଅଟଳ ଟିଡିପି

ନୂଆଦିଲ୍ଲୀ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ କେନ୍ଦ୍ରରେ ଶାସନାଧୀନ ଏନଡିଏ ସରକାର ଛାଡିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ନିଷ୍ପତ୍ତି ନେବା ପରେ ଆନ୍ଧ୍ର କ୍ୟାବିନେଟରେ ଥିବା ଦୁଇଜଣ ବିଜେପି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାରଦିନ ନାଇଡୁଙ୍କୁ ଫୋନ କରି କଥାହୋଇଛନ୍ତି । ଗଣମାଧ୍ୟମ ସୁତ୍ରରୁ ଜଣାପଡଛି ଯେ ନିଜ ନିଷ୍ପତ୍ତିର ପୁରର୍ବିଚାର କରିବାକୁ ମୋଦି ନାଇଡୁଙ୍କୁ ଅନୁରୋଧ କରିଛନ୍ତି । ସଂଧ୍ୟା ୬ ଟା ବେଳେ ଟିଡପିର ଦୁଇଜଣ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଓ ଓ୍ଵାଇଏସ ଚୌଧରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ଇସ୍ତଫାପତ୍ରଦେବାର କାର୍ଯ୍ୟକ୍ରମ ରହିଛି ।

ଆଜି ଆନ୍ଧ୍ର ବିଧାନସଭାରେ ଚନ୍ଦ୍ରବାବୁ କହିଛନ୍ତି ଯେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରତି ବୈମାତ୍ରୁକ ଭାବ ରଖୁଛନ୍ତି । ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଯଥେଷ୍ଟ ସହାୟତା ଦିଆଯାଉଥିବାବେଳେ ଆନ୍ଧ୍ରପ୍ରଦେଶ ପ୍ରତି ଏଭଳି ମନୋଭାବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ?

ଗତକାଲି ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରରୁ ସମର୍ଥନ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିଥିଲେ । ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ଦେବା ସମ୍ଭବ ନୁହେଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିବା ପରେ ସେ ଏହି ନିଷ୍ପତ୍ତି ନେଇଥିଲେ । ଜେଟଲି କହିଥିଲେ ଯେ ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ । ଏକ ସ୍ୱତନ୍ତ୍ର ପାହ୍ୟା ପ୍ରାପ୍ତ ରାଜ୍ୟ ଯେଉଁ ପରିମାଣରେ ପାଣ୍ଠି ପାଇଥାଏ ଆନ୍ଧ୍ରକୁ ମଧ୍ୟ ସେତିକି ପରିମାଣରେ ପାଣ୍ଠି ଯୋଗାଇଦିଆଯିବ । କିନ୍ତୁ ସ୍ୱତନ୍ତ୍ର ପାହ୍ୟା ଦେବା ସମ୍ଭବ ନୁହେଁ ।

ସମ୍ବନ୍ଧିତ ଖବର