ରୁଷର ଆଣବିକ ଯୁଦ୍ଧ ଧମକ ମଧ୍ୟରେ ଜେଲେନସ୍କିଙ୍କ ସହ କଥାହେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ ଓ ରୁଷ ସହିତ ଚାଲିଥିବା ବିବାଦର କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ବୋଲି କହିଥିଲେ ।

ସେମାନଙ୍କ ଟେଲିଫୋନିକ୍ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ ଆଣବିକ ପ୍ରତିଷ୍ଠାନ ଉପରେ ବିପଦର ପ୍ରଳୟଙ୍କରୀ ପରିଣାମ ଆସିପାରେ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଣବିକ ଧମକ ମଧ୍ୟରେ ଏହି ବୟାନକୁ ଗୁରୁତ୍ବ ଦିଆଯାଉଛି ।

ଏହି ଆଲୋଚନା ବେଳେ ମୋଦୀ ଗତ ୭ ମାସ ହେଲା ଚାଲିଥିବା ଯୁଦ୍ଧ ଶୀଘ୍ର ବନ୍ଦ କରିବା ଏବଂ ଆଲୋଚନା ଓ କୂଟନୀତିର ମାର୍ଗ ଅନୁସରଣ କରାଯାଉ ବୋଲି କହିଥିଲେ ।

ବିବାଦର କୌଣସି ସାମରିକ ସମାଧାନ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହ ଉଭୟ ପକ୍ଷ ମଧ୍ୟରେ ଶାନ୍ତି ସ୍ଥାପନ କ୍ଷେତ୍ରରେ ଭାରତ ନିଜର ଯୋଗଦାନ ଦେବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ ।

ଗତ ମାସରେ ଉଜବେକିସ୍ତାନର ସମରକନ୍ଦଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ ଯେ ଏହା ଯୁଦ୍ଦର ଯୁଗ ନୁହେଁ । ଏହାର ଜବାବରେ ପୁଟିନ କହିଥିଲେ ଯେ ସେ ଯୁଦ୍ଧ ଶେଷ କରିବାକୁ ଆଗ୍ରହୀ । କିନ୍ତୁ ୟୁକ୍ରେନ ଏଥିପାଇଁ ରାଜି ହେଉନି ।

 

ସମ୍ବନ୍ଧିତ ଖବର