ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌୍‌ ଯୁଦ୍ଧ ତୀବ୍ର ହୋଇଛି । ରାହୁଲ ଗାନ୍ଧୀ ଟ୍ଵିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତ୍ୟେକ ଦିନ ପ୍ରଶ୍ନ ପଚାରୁଥିବା ବେଳେ ବିଜେପି ଏବଂ ନିଜେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଦିନ କଂଗ୍ରେସକୁ କଡ଼ା ପ୍ରହାର କରୁଛନ୍ତି। ଗୁଜରାଟର ସୁରେନ୍ଦ୍ରନଗରରେ ଅନୁଷ୍ଠିତ ର‍୍ୟାଲିରେ ଉଦ୍‌୍‌୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ୭୦ ବର୍ଷ ଖରାପ କରିଦେଇଥିବା କଂଗ୍ରେସର ବିକାଶ ଉପରେ ବିଶ୍ୱାସ ନାହିଁ। ଏହି ଦଳ କେବଳ ବିଭ୍ରାନ୍ତିରେ ବିଶ୍ୱାସ କରୁଛି ଏବଂ ଗୁଜରାଟରେ ଜାତିଆଣ ରାଜନୀତି ଚଳାଇଛି । ତେବେ ଉତ୍ତର ପ୍ରଦେଶର ଲୋକେ ଯେଭଳି କଂଗ୍ରେସକୁ ଠିକ୍‌ ବୁଝିଛନ୍ତି, ଗୁଜରାଟର ଜନତା ମଧ୍ୟ କଂଗ୍ରେସର ଅସଲ ଚେହେରା କ’ଣ ଜାଣି ସାରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆଜି ମୋଦି କଟାକ୍ଷ କରିଛନ୍ତି। ମହାରାଷ୍ଟ୍ର କଂଗ୍ରେସର ନେତା ତଥା ପ୍ରବକ୍ତା ଶେହଜାଦ ପୁନାଓ୍ଵାଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆଦୌ ଗଣତାନ୍ତ୍ରିକ ନୁହେଁ ବୋଲି କହି ଝଡ଼ ସୃଷ୍ଟି କରିଥିବା ବେଳେ ଏହାକୁ ଉଲ୍ଲେଖ କରି ମୋଦି କହିଥିଲେ ‘ଶେହଜାଦ ନାମକ ଯୁବକ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ସ୍ୱର ଉତ୍ତୋଳନ କରିଛନ୍ତି। ସେ ମହାରାଷ୍ଟ୍ର କଂଗ୍ରେସର ନେତା। ତେବେ କଂଗ୍ରେସ ଶେହଜାଦଙ୍କ ସ୍ୱରକୁ ଦବାଇବାକୁ ପ୍ରୟାସ କରିଛି ଏବଂ ତାଙ୍କୁ ସୋସିଆଲ ମିଡିଆ ଗ୍ରୁପ୍‌ରୁ ବାହାର କରିଦେଇଛି ।’ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ, ସେହି ଦଳ ଲୋକଙ୍କ କଲ୍ୟାଣ ପାଇଁ କାମ କରିପାରିବ ନାହିଁ। ଶେହଜାଦ ବହୁତ ସାହସର କାମ କରିଛନ୍ତି। କିନ୍ତୁ ପରିତାପର ବିଷୟ କଂଗ୍ରେସରେ ସର୍ବଦା ଏଭଳି ଚାଲି ଆସିଛି ବୋଲି ମୋଦି କହିଛନ୍ତି।