ଉତ୍ତରପ୍ରଦେଶରେ ବିଜେପିର ବିଜୟ ୨୦୨୪ ନିର୍ବାଚନର ଫଳାଫଳ ସ୍ଥିର କରିଦେଇଛି : ମୋଦୀ

ନୂଆଦିଲ୍ଲୀ :  ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ବିଜୟ ହାସଲ କରିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

୪ଟି ରାଜ୍ୟରେ ବିଜେପିର ବିଜୟ ପରେ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଜିତିବା ପରେ ରାଜନୈତିକ ସମୀକ୍ଷକମାନେ କହିଥିଲେ ଯେ ଏହି ଫଳାଫଳ ତ ୨୦୧୭ରେ ବିଜେପି ଉତ୍ତରପ୍ରଦେଶ ନିର୍ବାଚନ ଜିତିବା ପରେ ସ୍ଥିର ହୋଇଯାଇଥିଲା । ଏଣୁ ୨୦୨୨ରେ ଉତ୍ତରପ୍ରଦେଶ ଜିତିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ବୋଲି ମୋଦୀ କହିଛନ୍ତି ।

ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଜାତିଭିତ୍ତିକ ରାଜନୀତି ହୁଏ ବୋଲି ରାଜନୈତିକ ପଣ୍ଡିତମାନେ କୁହନ୍ତି । କିନ୍ତୁ ଉତ୍ତରପ୍ରଦେଶ ଲୋକମାନେ ଏହାକୁ ଭୁଲ ପ୍ରମାଣିତ କରି ବିକାଶକୁ ଭୋଟ ଦେଇଛନ୍ତି । ରାଜ୍ୟବାସୀ ଜାତିବାଦୀ ରାଜନୀତିକୁ ଖାରଜ କରିଦେଇଛନ୍ତି ।

ପରିବାରବାଦ ରାଜନୀତି ଦେଶକୁ ପଛକୁ ନେଇଯାଉଛି । କିନ୍ତୁ ଦେଶରେ ଏପରି ଏକ ଦିନ ଆସିବ ଯେବେ ଦେଶର ମତଦାତାମାନେ ପରିବାରବାଦ ରାଜନୀତିକୁ ବିଲୁପ୍ତ କରିଦେବେ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନିର୍ବାଚନ ଏପରି ସମୟରେ ହୋଇଥିଲା ଯେଉଁ ସମୟରେ ବିଶ୍ବ କରୋନା ସଂକଟ ଦେଇ ଗତି କରୁଥିଲା । ଏହା ସହିତ ବିଶ୍ବରେ ଏକ ଯୁଦ୍ଧର ଘନଘଟା ଆରମ୍ଭ ହୋଇଯାଇଥିଲା । ଏପରି କଠିନ ପରିସ୍ଥିତିରେ ମତଦାତାମାନେ ବିକାଶ ଓ ଦେଶର ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି ।

ଏହି ବିଜୟ ପାଇଁ ସେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ସରକାର ଦେଶରେ ବିକାଶର ଗାଡ଼ିକୁ ଆଗେଇ ନେବ ।

 

 

ସମ୍ବନ୍ଧିତ ଖବର