ସୋନିଆଙ୍କୁ ଅଧ୍ୟକ୍ଷ କରାଇବାକୁ ଦଳିତ ନେତାଙ୍କୁ ହଟାଯାଇଥିଲା

‌ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ସରଗରମ ପ୍ରଚାର ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୢାଲିରେ ଉଦ୍‌ବୋଧନ ଦେଇ କଂଗ୍ରେସ ଏବଂ ନେହରୁ-ଗାନ୍ଧୀ ପରିବାରକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଦିଲ୍ଲୀରେ ରିମୋଟ୍‌ କଂଟ୍ରୋଲ ଦ୍ବାରା ପରିଚାଳିତ ହେଉଥିଲା ଏବଂ ଏହି ରିମୋଟ୍‌ ଗୋଟିଏ ପରିବାର ହାତରେ ରହିଥିଲା। ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରାଇବା ପାଇଁ ଦଳିତ ନେତା ସୀତାରାମ କେଶରୀଙ୍କୁ ତାଙ୍କ କାର୍ଯ୍ୟକାଳ ନ ପୂରୁଣୁ ହଟାଇ ଦିଆଯାଇଥିଲା ବୋଲି ମୋଦୀ କହିଛନ୍ତି। ଗୋଟିଏ ପରିବାରର ୪ ପିଢ଼ି ଏହି ଦେଶର କ୍ଷମତାରେ ରହି ଏହାକୁ ଭୋଗ କରିଛନ୍ତି, କିନ୍ତୁ ସେମାନଙ୍କ ଶାସନରୁ ଦେଶର ଗରିବ ଜନତା ଉପକୃତ ହୋଇନାହାନ୍ତି। ଲୋକଙ୍କୁ ଠକିବା ଓ ପ୍ରତାରଣା କରିବା କଂଗ୍ରେସର ରକ୍ତରେ ଅଛି ବୋଲି ମୋଦୀ କହିଛନ୍ତି। ଏବେ କଂଗ୍ରେସ ନେତାମାନେ ପୁଣି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ସବୁ ଶକ୍ତି ଖଟାଇଛନ୍ତି, କିନ୍ତୁ ଦେଶବାସୀ ଏହାକୁ ସଫଳ ହେବାକୁ ଦେବେନାହିଁ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛତିଶଗଡ଼ ମଧ୍ୟ କେନ୍ଦ୍ରରେ ୟୁପିଏ ସରକାର ଅମଳରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ୟୁପିଏ ସରକାର ଛତିଶଗଡ଼ ପ୍ରତି ଆଦୌ ଧ୍ୟାନ ଦେଉନଥିଲା ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର