ପୁଟିନଙ୍କ ସହ କଥାହେଲେ ମୋଦୀ

ୟୁକ୍ରେନ୍‌ରେ ହିଂସା ବନ୍ଦ ପାଇଁ କହିଲେ, କୂଟନୈତିକ ପ୍ରୟାସ ପାଇଁ ପରାମର୍ଶ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷିଆ ଗୁରୁବାର ଦିନ ସାମରିକ ଆକ୍ରମଣ ଆରମ୍ଭ କରିଛି। ଏଭଳି ସ୍ଥିତିରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି। ତୁରନ୍ତ ହିଂସା ବନ୍ଦ ପାଇଁ ପୁଟିନଙ୍କୁ ମୋଦୀ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ସବୁପକ୍ଷ ଆଲୋଚନା ଓ କୂଟନୈତିକ ରାସ୍ତାକୁ ଫେରନ୍ତୁ । ଏଥିସହିତ ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ ଭାରତର ଚିନ୍ତା ସଂପର୍କରେ ମୋଦୀ ପୁଟିନଙ୍କୁ ଅବଗତ କରିଛନ୍ତି। ସେମାନେ କିଭଳି ସୁରକ୍ଷିତ ଭାବେ ୟୁକ୍ରେନରୁ ଭାରତକୁ ଫେରିବେ ତାହା ଉପରେ ଭାରତ ସର୍ବାଧିକ ଗୁରୁତ୍ବ ଦେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ଦୁଇ ଦେଶର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଉଭୟ ଦେଶର ଅଧିକାରୀମାନେ ନିୟମିତ ଯୋଗାଯୋଗରେ ରହିବେ ବୋଲି ଦୁଇ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ନାଟୋ ଏବଂ ରୁଷ୍‌ ମଧ୍ୟରେ ରହିଥିବା ବିବାଦର କୂଟନୈତିକ ସମାଧାନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ପୁଟିନ ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନ୍‌ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ନିଷ୍ପତ୍ତି ଏବଂ ସୁରକ୍ଷା ସୁରକ୍ଷା ସଂକ୍ରାନ୍ତରେ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର