ନୂ୍ଆଦିଲ୍ଲୀ : ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭୟଙ୍କର ସ୍ଥିତି ଦେଇ ଗତି କରୁଛି। ୟୁକ୍ରେନ୍ରୁ ସମସ୍ତ ଭାରତୀୟ ଏଯାବତ ଉଦ୍ଧାର ହୋଇନାହାନ୍ତି। ସୁମିରେ ଫସିଥିବା ଭାରତୀୟ ଛାତ୍ରଙ୍କ ଉଦ୍ଧାର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଯାଇଛି। ତେବେ ସମସ୍ତ ଭାରତୀୟ ଛାତ୍ରଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣିଥରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ପୁଟିନ ଏବଂ ମୋଦୀ ୟୁକ୍ରେନ୍ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଉଭୟ ୟୁକ୍ରେନ୍ ଏବଂ ରୁଷ୍ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ସଂକ୍ରାନ୍ତରେ ପୁଟିନ ମୋଦୀଙ୍କୁ ଅବଗତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଜେଲେନସ୍କିଙ୍କ ସହ ସିଧାସଳଖ କଥା ହେବାପାଇଁ ମୋଦୀ ପୁଟିନଙ୍କୁ ଅନୁରୋଧ କରିଛନ୍ତି।
ଶାନ୍ତିରକ୍ଷା ପାଇଁ ପୁଟିନ୍ ସିଧାସଳଖ ଜେଲେନସ୍କିଙ୍କ ସହ କଥା ହେବାକୁ ମୋଦୀ କହିଛନ୍ତି। ରୁଷ୍ର ଯୁଦ୍ଧବିରତି ଘୋଷଣା ଏବଂ ୟୁକ୍ରେନ୍ର କିଛି ଅଂଶରେ ରୁଷ୍ ମାନବୀୟ କରିଡର ପ୍ରତିଷ୍ଠା କରିବା ବିଷୟକୁ ମୋଦୀ ପ୍ରଶଂସା କରିଛନ୍ତି। ଯଥାଶୀଘ୍ର ସୁମିରେ ଫସିଥିବା ଭାରତୀୟ ଛାତ୍ରଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଉପରେ ମୋଦୀ ଗୁରୁତ୍ବାରୋପ କରିଥିଲେ। ପୁଟିନ ମଧ୍ୟ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ସବୁ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୋଦୀ ଏବଂ ପୁଟିନ୍ ପ୍ରାୟ ୫୦ ମିନିଟ୍ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ସେହିଭଳି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହ କଥା ହୋଇଛନ୍ତି । ସୁମିରେ ଫସିଥିବା ଭାରତୀୟ ଛାତ୍ରଙ୍କ ଉଦ୍ଧାର ପାଇଁ ମୋଦୀ ଜେଲେନ୍ସ୍କିଙ୍କ ସହଯୋଗ ମାଗିଛନ୍ତି। ମୋଦୀ ଏବଂ ଜେଲେନ୍ସ୍କି ଆଜି ୩୫ ମିନିଟ୍ କଥା ହୋଇଛନ୍ତି। ୟୁକ୍ରେନ୍ରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବାରେ ୟୁକ୍ରେନ୍ ସରକାର ଯେଉଁ ସହଯୋଗ କରିଛନ୍ତି ମୋଦୀ ସେଥିପାଇଁ ଜେଲେନ୍ସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଲଗାତାର ସିଧାସଳଖ କଥାବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ୟୁକ୍ରେନ୍ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଜେଲେନ୍ସ୍କିଙ୍କ ସହ ଏହା ମୋଦୀଙ୍କର ଦ୍ବିତୀୟ କଥାବାର୍ତ୍ତା।