ନୂଆଦିଲ୍ଲୀ: ଜି-୨୦ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବ୍ରିଟେନ ପ୍ରତିପକ୍ଷ ଋଷି ସୁନକଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ବାଣିଜ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ର ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗରେ ମୋଦୀ ଏବଂ ସୁନକ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବାପରେ ଏହା ମୋଦୀ ଏବଂ ସୁନକଙ୍କ ମଧ୍ୟରେ ପ୍ରଥମ ଦ୍ବିପାକ୍ଷିକ ବୈଠକ। ବୈଠକ ପରେ ମୋଦୀ ଏକ ଟ୍ବିଟ୍ କରି କହିଛନ୍ତି, ‘ବାଲିରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟି ଖୁବ୍ ଖୁସି ଲାଗିଲା। ଭାରତ-ବ୍ରିଟେନ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଭାରତ ଯଥେଷ୍ଟ ଗୁରୁତ୍ବ ଦେଉଛି। ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ଼ କରିବା ସହ ଦ୍ବିପାକ୍ଷିକ ଲୋକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆମେ ଆଲୋଚନା କରିଛୁ ବୋଲି ମୋଦୀ କହିଛନ୍ତି।
ଜି-୨୦ ଏବଂ କମନୱେଲ୍ଥ ସମେତ ବିଭିନ୍ନ ଦ୍ବିପାକ୍ଷିକ ଏବଂ ବହୁପାକ୍ଷିକ ମଞ୍ଚରେ ଉଭୟ ନେତା ଏକାଠି କାମ କରିବାର ଗୁରୁତ୍ବକୁ ପ୍ରଶଂସା କରିଛନ୍ତି।
ଆଜି ମୋଦୀଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ଯୁବଗୋଷ୍ଠୀଙ୍ଗ ପାଇଁ ଏକ ନୂଆ ଭିସା ଯୋଜନାକୁ ସ୍ବୀକୃତି ଦେଇଛନ୍ତି। ଉକ୍ତ ନୂଆ ଯୋଜନା ଅଧୀନରେ ପ୍ରତିବର୍ଷ ଭାରତରୁ ୩ ହଜାର ନାଗରିକଙ୍କୁ ବ୍ରିଟେନ୍ରେ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାପାଇଁ ଭିସା ମିଳିବ। ବ୍ରିଟେନ ପିଏମ୍ଓ ପକ୍ଷରୁ ଏକ ଟ୍ବିଟ୍ କରି କୁହାଯାଇଛି ଆଜି ୟୁକେ-ଇଣ୍ଡିଆ ୟଙ୍ଗ ପ୍ରଫେସନାଲ ସ୍କିମ୍ ଚୂଡ଼ାନ୍ତ ହୋଇଛି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ୧୮-୩୦ ବର୍ଷ ମଧ୍ୟରେ ୩ ହଜାର ଶିକ୍ଷିତ ଡିଗ୍ରିଧାରୀ ଯୁବଗୋଷ୍ଠୀଙ୍କୁ ବ୍ରିଟେନ ଯିବାପାଇଁ ଭିସା ମିଳିପାରିବ। ଏହାଦ୍ବାରା ସେମାନେ ବ୍ରିଟେନ୍ରେ ୨ ବର୍ଷ ପର୍ଯ୍ୟନ୍ତ ରହିପାରିବେ ଏବଂ କାର୍ଯ୍ୟ କରିପାରିବେ। ବ୍ରିଟେନ ସରକାର କହିଛନ୍ତି, ପ୍ରଥମ ରାଷ୍ଟ୍ର ଭାବେ ଭାରତ ଏହି ଯୋଜନା ଦ୍ବାରା ଉପକୃତ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ବ୍ରିଟେନ-ଇଣ୍ଡିଆ ମାଇଗ୍ରେସନ ଆଣ୍ଡ ମୋବିଲିଟି ପାର୍ଟନରସିପ୍ ଯୋଜନାକୁ ସ୍ବୀକୃତି ମିଳିଥିଲା। ଆସନ୍ତା ୨୦୨୩ରେ ଆନୁଷ୍ଠାନିକ ଭାବେ ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି।