ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ରବିବାର ଦିନ ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଛି। ସହାରନପୁରର କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇବାକୁ ମନା କରିଦେଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ପରଠାରୁ, ପ୍ରାୟ ସମସ୍ତ ବିରୋଧୀ ଦଳ ଏସିଆ କପରେ ପାକିସ୍ତାନ ସହିତ ଖେଳିବାକୁ ବିରୋଧ କରିଆସୁଥିଲେ। ସେମାନେ କେନ୍ଦ୍ରର ମୋଦୀ ସରକାର ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡକୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ବିଜୟ ପରେ ମଧ୍ୟ ଇମ୍ରାନ ମାସୁଦଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି।
#WATCH | Delhi: On India's victory in the Asia Cup, Congress MP Imraan Masood says, "You should have given them the answer during the war. When it was time to give the answer, you surrendered... What did you stop the war on? Pakistan is lying in the United Nations... To earn the… pic.twitter.com/7WioPCnEFh
— ANI (@ANI) September 29, 2025
ଏସିଆ କପରେ ଟିମ୍ ଇଣ୍ଡିଆର ବିଜୟକୁ ଉଲ୍ଲେଖ କରି କଂଗ୍ରେସ ସାଂସଦ ଇମ୍ରାନ ମାସୁଦ କହିଛନ୍ତି, ଆପଣ ଯୁଦ୍ଧ ସମୟରେ ହିଁ ଜବାବ ଦେବା ଉଚିତ୍ ଥିଲା। ଯେତେବେଳେ ଜବାବ ଦେବାର ସମୟ ଆସିଥିଲା, ଆପଣ ଆତ୍ମସମର୍ପଣ କରିଥିଲେ। ଡୋନାଲ୍ହ ଟ୍ରମ୍ପ୍ ଏକ ବିବୃତି ଦେଇଥିଲେ, ଏବଂ ଆପଣ ଏକ ବଟନ୍ ଦବାଇ କହିଥିଲେ, ଆମେ ଯୁଦ୍ଧ ବନ୍ଦ କରୁଛୁ।
ଇମ୍ରାନ ମାସୁଦ ପ୍ରଶ୍ନ କରିଛନ୍ତି ଆପଣ ଯୁଦ୍ଧ କାହିଁକି ବନ୍ଦ କଲେ? ପାକିସ୍ତାନ ଜାତିସଂଘରେ ମିଛ କହୁଛି। ଆପଣ ଏହା କରିବା ପରେ ପାକିସ୍ତାନ ଏଭଳି କହିବାକୁ ସୁଯୋଗ ପାଇଲା। ଯଦି ପାକିସ୍ତାନକୁ କଡ଼ା ଜବାବ ମିଳିଥାନ୍ତା, ତେବେ ଏଭଳି କହିବାକୁ ସାହସ କରି ନଥାନ୍ତା। ଆମ ଭଉଣୀମାନଙ୍କର ସିନ୍ଦୂର ଉଜାଡ଼ି ଥିବା ଲୋକଙ୍କ ସହିତ ଟଙ୍କା ରୋଜଗାର କରିବା ପାଇଁ ଆପଣ ଖେଳ ଖେଳିଛନ୍ତି। ଆପଣଙ୍କୁ ଲଜ୍ଜା ଲାଗୁନାହିଁ କି?
ଯେତେବେଳେ ମାସୁଦଙ୍କୁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ବିଷୟରେ ପଚରାଗଲା, ସେ ସେ ସିଧାସଳଖ ମନା କରିଦେଇଥିଲେ। ମୁଁ କଂଗ୍ରେସ ବିଷୟରେ କହୁନାହିଁ, ମୁଁ ନିଜ ବିଷୟରେ କହୁଛି ବୋଲି ମାସୁଦ କହିଥିଲେ। ମୁଁ ସେମାନଙ୍କୁ ଆଦୌ ଅଭିନନ୍ଦନ ଜଣାଇବି ନାହିଁ। ମୁଁ ସେମାନଙ୍କୁ କ'ଣ ପାଇଁ ଅଭିନନ୍ଦନ ଜଣାଇବି? ମୋ ଭଉଣୀମାନଙ୍କର ସିନ୍ଦୂର ଉଜୁଡ଼ି ଥିବା ପାଇଁ? ମୁଁ ସେମାନଙ୍କ ପାଇଁ ଲଜ୍ଜିତ ମନେ କରୁଛି।
ସୂଚନାଯୋଗ୍ୟ,ରବିବାର ଭାରତୀୟ ଦଳ ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରି ଏସିଆ କପ୍ ୨୦୨୫ ଟାଇଟଲ ଜିତିଛି। ଏହା ପରେ, ଭାରତ ଏସିସି ସଭାପତି ତଥା ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ଠାରୁ ଏସିଆ କପ୍ ୨୦୨୫ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା।