ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଅଧିକ ତୀବ୍ର ହେଉଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଏହି ଅବସରରେ ଉଭୟ ମଧ୍ୟପ୍ରାଚ୍ୟର କଠିନ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

Advertisment

ଏହି ଆଲୋଚନା ସଂପର୍କରେ ମୋଦୀ ସୋସିଆଲ ମିଡିଆ ସାଇଟ୍-ଏକ୍ସରେ ଇଲ୍ଲେଖ କରିଛନ୍ତି। ଏହି ଆଲୋଚନାରେ ଆତଙ୍କବାଦ, ଆତଙ୍କବାଦୀ ଘଟଣା, ହିଂସା ଓ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ଇସ୍ରାଏଲ-ହମାସ ଯୁଦ୍ଧରୁ ବଢୁଥିବା ଉତ୍ତେଜନାକୁ ରୋକିବା, ନିରନ୍ତର ମାନବିକ ସହାୟତା ସୁନିଶ୍ଚିତ କରିବା ଏବଂ ଶାନ୍ତି ଓ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ। ଏହାଛଡ଼ା ଇରାନରେ ଭାରତୀୟ ସହାୟତରେ ନିର୍ମିତ ଚାବାହାର ବନ୍ଦର ସମେତ ଭାରତ-ଇରାନ ଦ୍ୱିପାକ୍ଷିକ ସହଯୋଗ ଉପରେ ବି ଆଲୋଚନା ହୋଇଥିଲା ।

ସୂଚନାଯୋଗ୍ୟ ଯେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣକୁ ଭାରତ ନିନ୍ଦା କରିଥିଲା । ତେବେ ପରେ ଯୁଦ୍ଧ ଆରମ୍ଭ ହେବା ପରେ ମଧ୍ୟ ଭାରତ ସାଧାରଣ ଲୋକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଲା ।  ମୋଦୀ ମଧ୍ୟ ଏହି ଯୁଦ୍ଧ ସଂପର୍କରେ ପାଲେଷ୍ଟାଇନ ରାଷ୍ଟ୍ରମୁଖ୍ୟ ମେହମୁଦ ଆବ୍ବାସଙ୍କ ସହ ଆଲୋଚନା କରିଥିଲେ ।