ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଆଜି ସକାଳେ ଏକ ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ସ୍ବାଗତ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ପୂର୍ବରୁ ସେ ଅନେକ ଥର କିସିଦାଙ୍କୁ ଭେଟିଛନ୍ତି। ପ୍ରତିଥର ସେ ତାଙ୍କଠାରେ ଭାରତ ପ୍ରତି ସକାରାତ୍ମକ ଭାବ ଦେଖିଛନ୍ତି। ତାଙ୍କର ଆଜିର ଗସ୍ତ ଦୁଇ ଦେଶର ସମ୍ପର୍କ ବୃଦ୍ଧିରେ ସହାୟକ ହେବ। ଆସନ୍ତା ମେ ମାସରେ ହିରୋସିମାରେ ଅନୁଷ୍ଠିତ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିସିଦାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ଗସ୍ତରେ ଆସିଥିବା କିସିଡ଼ାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସୋମବାର ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଓ ପ୍ରଗତିଶୀଳ କୋଭିଡ୍-ପର ବିଶ୍ବ ପାଇଁ ଦୁଇ ଦେଶର ରଣନୈତିକ ଭାଗୀଦାରିତା ବୃଦ୍ଧି ନିମନ୍ତେ ଉଭୟେ ଆଲୋଚନା କରିଥିଲେ। ମୋଦୀ କହିଲେ ଯେ, କିସିଦାଙ୍କୁ ଆଗାମୀ ସେପ୍ଟେମ୍ବରରେ ପୁଣିଥରେ ସ୍ବାଗତ କରିବାର ସୁଯୋଗ ତାଙ୍କୁ ମିଳିବ। ସେତେବେଳେ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ନୂଆଦିଲ୍ଲୀ ଆସିବେ। ହାଇଦ୍ରାବାଦ ହାଉସ୍ରେ ମୋଦୀଙ୍କ ସହ କଥାବାର୍ତ୍ତା କରିବା ପୂର୍ବରୁ କିସିଦା ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ନିଜର ଶ୍ରଦ୍ଧା ନିବେଦନ କରିଥିଲେ। କିସିଦା ଆଜି ପାଲମ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ବାଗତ ଜଣାଇଥିଲେ। ଏହା ହେଉଛି ଜାପାନର ପ୍ରଧାନମନ୍ତ୍ରୀ ଭାବେ କିସିଦାଙ୍କର ଦ୍ବିତୀୟ ଭାରତ ଗସ୍ତ। କିସିଦା କହିଛନ୍ତି, ଏ ବର୍ଷ ଜାପାନ ଜି୭ର ଅଧ୍ୟକ୍ଷତା କରୁଥିବା ବେଳେ ଭାରତ ଜି୨୦ର ଅଧ୍ୟକ୍ଷତା କରୁଛି। ତେଣୁ ମୋଦୀଙ୍କ ସହ ବିଶ୍ବ ପ୍ରସଙ୍ଗ ଉପରେ ଭାବବିନିମୟ କରିବାର ସୁଯୋଗ ତାଙ୍କୁ ମିଳିବ। ଶେଷରେ ଆଜି ‘ମୁକ୍ତ ଓ ଖୋଲା ଭାରତ-ପ୍ରଶାନ୍ତ’ ଉପରେ ମଧ୍ୟ କିସିଦା ଆଲୋଚନା କରିଥିଲେ।