ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବା ଅଧିକ ଗୌରବାବହ କାରଣ ସେ ନିଜେ ଜଣେ ଶିକ୍ଷକ ଏବଂ ଓଡିଶାର ଉପାନ୍ତ ଅଂଚଳରେ ମଧ୍ୟ ଶିକ୍ଷାଦାନ କରିଛନ୍ତି। ଆଜି ଯେତେବେଳେ ଦେଶ ଆଜାଦୀ କା ଅମୃତ ମହୋତ୍ସବର ସ୍ୱପ୍ନ ପୂରଣ କରିବା ଆରମ୍ଭ କରିଛି, ସେତେବେଳେ ଶିକ୍ଷା କ୍ଷେତ୍ରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଉଦ୍ୟମ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି। ଏହି ଅବସରରେ ମୁଁ ଜାତୀୟ ପୁରସ୍କାରପ୍ରାପ୍ତ ସମସ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଣେ ଶିକ୍ଷକଙ୍କ ଭୂମିକା ହେଉଛି ଆଲୋକ ଦେଖାଇବା। ସେହିମାନେ ହିଁ ସ୍ୱପ୍ନ ଦେଖାନ୍ତି ଏବଂ ସେହି ସ୍ୱପ୍ନକୁ ସାକାର କରିବାକୁ ଶିଖାନ୍ତି। ୨୦୪୭ ମସିହା ଭାରତର ଭାଗ୍ୟ ଆଜିର ଛାତ୍ରମାନଙ୍କ ଉପରେ ନିର୍ଭରଶୀଳ ଏବଂ ଆଜିର ଶିକ୍ଷକମାନେ ସେମାନଙ୍କ ଭବିଷ୍ୟତ ଗଠନ କରୁଛନ୍ତି। ଛାତ୍ରମାନଙ୍କ ଜୀବନର ବିଭିନ୍ନ କ୍ଷେତ୍ରରେ ବିବାଦ ଏବଂ ଦ୍ୱନ୍ଦ୍ୱ ଦୂର କରିବା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ବିଦ୍ୟାଳୟ, ସମାଜ ତଥା ଘରେ ଛାତ୍ରମାନେ ଯାହା ଅନୁଭବ କରନ୍ତି ସେଥିରେ କୌଣସି ବିବାଦ ନ ରହିବା ଜରୁରି।

ଜାତୀୟ ଶିକ୍ଷା ନୀତି ଦ୍ୱାରା ପ୍ରାପ୍ତ ସଫଳତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଠିକ୍ ଦିଗରେ ଏକ ପଦକ୍ଷେପ। ଜାତୀୟ ଶିକ୍ଷା ନୀତିକୁ ଏକାଧିକ ଥର ପଢିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇଥିଲେ ଯେକି ସେ ଭଗବତ୍ ଗୀତା ବାରମ୍ବାର ପଢୁଥିଲେ ଏବଂ ପ୍ରତ୍ୟେକ ଥର ଏକ ନୂତନ ଅର୍ଥ ପାଉଥିଲେ। ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଏପରି ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱାଧୀନତା ଦିବସର ‘ପଞ୍ଚପ୍ରଣ’ ଘୋଷଣାକୁ ସ୍ମରଣ କରି କହିଥିଲେ ଯେ ଏହି ପଞ୍ଚପ୍ରଣ ନିୟମିତ ଭାବେ ବିଦ୍ୟାଳୟଗୁଡ଼ିକରେ ଆଲୋଚନା ହୋଇପାରେ ଯାହାଦ୍ୱାରା ଛାତ୍ରମାନଙ୍କ ପାଇଁ ସେମାନଙ୍କର ଆବେଗ ସ୍ପଷ୍ଟ ହେବ। ଏହି ସଂକଳ୍ପଗୁଡିକ ଦେଶର ପ୍ରଗତିର ଏକ ମାଧ୍ୟମ। ସମଗ୍ର ଦେଶରେ ଏପରି ଛାତ୍ର ରହିବା ଉଚିତ ନୁହେଁ, ଯାହା ପାଖରେ ୨୦୪୭ ପାଇଁ ସ୍ୱପ୍ନ ନାହିଁ। ସେ କହିଛନ୍ତି ଯେ ଦାଣ୍ଡି ଯାତ୍ରା ଏବଂ ଭାରତ ଛାଡ ଆନ୍ଦୋଳନ ସମୟରେ ଦେଶକୁ ଆଚ୍ଛାଦିତ କରିଥିବା ଆବେଗକୁ ପୁଣି ଥରେ ଜାଗ୍ରତ କରିବାର ଆବଶ୍ୟକତା ରହିଛି।

ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାରେ ଭାରତର କୃତୀତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ୨୫୦ ବର୍ଷ ଧରି ଭାରତ ଉପରେ ଶାସନ କରୁଥିବା ଲୋକଙ୍କୁ ଅତିକ୍ରମ କରିବାର ଆନନ୍ଦ ଷଷ୍ଠ ବୃହତ୍ତମରୁ ୫ମ ବୃହତ୍ତମ ଅର୍ଥନୀତିକୁ ଉନ୍ନୀତ ହେବାଠାରୁ ମହତ୍ତର।
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର