କଂଗ୍ରେସକୁ ଘେରିଲେ ମୋଦୀ

ରାଏବରେଲି: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ମାମଲାରେ ସୁପ୍ରିମ୍‌ କୋର୍ଟ ଗତ ଶୁକ୍ରବାର ରାୟ ଦେବା ପରେ କଂଗ୍ରେସ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ରାୟକୁ ପ୍ରତ୍ୟାହାର ପାଇଁ ଦାବି କରିଛି। ଏଥିସହ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ତୀବ୍ର ଭର୍ତ୍ସନା କରିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସର ଏଭଳି ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେପି ସରକାରରେ କ୍ବାତ୍ରୋଚି ମାମା ଏବଂ ଖ୍ରୀଷ୍ଟିଆନ୍ ମିସେଲ୍‌ଙ୍କ ଭଳି ଲୋକ ନଥିବାରୁ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହିଁ। ଏନ୍‌ଡିଏ ସରକାରଙ୍କ ପ୍ରତିରକ୍ଷା ଚୁକ୍ତି ଅତ୍ୟନ୍ତ ସ୍ବଚ୍ଛ ଥିବାରୁ ଏହା କଂଗ୍ରେସ ପାଇଁ ଧକ୍କା ଭଳି ହୋଇଛି। ୟୁପିଏ ଅଧ୍ୟକ୍ଷା ‌ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲିରେ ଏକ ଜନସମାବେଶକୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, କଂଗ୍ରେସ ଏବେ ନ୍ୟାୟପାଳିକା ବିରୋଧରେ ‘ଅବିଶ୍ବାସ’ ସ୍ଥିତି ସୃଷ୍ଟି କରୁଛି। ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପ‌ରେ ମଧ୍ୟ ଦଳ ସନ୍ଦେହ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏହା ବେଶ୍ ନିନ୍ଦନୀୟ। ଭାରତର ପ୍ରତିରକ୍ଷା କ୍ଷେତ୍ର ଅତ୍ୟନ୍ତ ଶକ୍ତିଶାଳୀ ହେଉଥିବାରୁ କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ। ଫଳରେ ସରକାରଙ୍କ ଏହି ଉଦ୍ୟମକୁ ପ୍ରତିହତ କରିବା ଲାଗି ଏହା ବିଭିନ୍ନ ଉପାୟ ଅବଲମ୍ବନ କରୁଛି। ଗୋଟିଏ ପଟେ କେନ୍ଦ୍ର ସରକାର ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଦିନରାତି ପରିଶ୍ରମ କରୁଥିବା ବେଳେ ସେମାନେ (କଂଗ୍ରେସ) ଦେଶକୁ ଦୁର୍ବଳ କରିବା ପାଇଁ ସବୁ ମୂଲ୍ୟ ଦେବାକୁ ଚାହୁଛନ୍ତି ବୋଲି ମୋଦୀ ଦର୍ଶାଇଛନ୍ତି।

ଏହି ପରିପ୍ରେକ୍ଷୀରେ ମୋଦୀ ଇଟାଲୀ ବ୍ୟବସାୟୀ କ୍ବାତ୍ରୋଚି ଏବଂ ବ୍ରି‌ଟିଶ୍‌ ବ୍ୟବସାୟୀ ଖ୍ରୀଷ୍ଟିଆନ୍‌ ମିସେଲ୍‌ଙ୍କ କଥା ଉଠାଇଛନ୍ତି। ୧୯୮୬ରେ କଂଗ୍ରେସ ସରକାର ବେଳେ ସ୍ବାକ୍ଷରିତ ହୋଇଥିବା ବୋଫର୍ସ ଚୁକ୍ତିରେ କ୍ବାତ୍ରୋଚି ମଧ୍ୟସ୍ଥି ଥିବା ବେଳେ ୟୁପିଏ ବେଳେ ହୋଇଥିବା ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କ୍ରୟ ଚୁକ୍ତିରେ ମିସେଲ୍‌ ମଧ୍ୟସ୍ଥି ରହିଥିଲେ। ଏହି ଦୁଇଟି ଚୁକ୍ତିରେ ଦୁର୍ନୀତି ହୋଇଥିଲା। ଏହି ଅବସରରେ ମୋଦୀ ଆଜି ରାଏବରେଲିରେ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଠାରେ ସେ ରେଳ ବଗି କାରଖାନା ‌ଲୋକାର୍ପଣ କରିଛନ୍ତି। ସେହିପରି ପ୍ରୟାଗରାଜରେ ମୋଦୀ ଏୟାରପୋର୍ଟ ଟର୍ମିନାଲ୍‌ ଉଦ୍‌ଘାଟନ କରିଛନ୍ତି।

ବିଚାରପତିଙ୍କୁ ଧମକାଇବା କଂ‌ଗ୍ରେସର ଅଭ୍ୟାସ
ଲକ୍ଷ୍ନୌ: ପ୍ରୟାଗରାଜରେ ଆଜି ୪୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଜନସଭାରେ କଂଗ୍ରେସ ବିରୋଧରେ ଗର୍ଜିଛନ୍ତି। କଂଗ୍ରେସ ଯେତେବେଳେ ବି କ୍ଷମତାରେ ରହିଛି, ମାମଲାଗୁଡ଼ିକୁ ଅଟକାଇଛି ଏବଂ ବିରୋଧୀ ଦଳରେ ଥିବା ବେଳେ ବିଚାରପତିମାନଙ୍କୁ ଧମକାଇବା କାମ କରିଆସୁଛି। ନ୍ୟାୟପାଳିକା ଉପରେ ଚାପ ସୃଷ୍ଟି କରି କଂଗ୍ରେସ ଏହାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଥିବା ସମସ୍ତେ ଜାଣନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ବିଭିନ୍ନ ସଂସ୍ଥାକୁ ବରବାଦ କରିଥିବା କଂଗ୍ରେସ ଏବେ ନ୍ୟାୟପାଳିକାକୁ ମଧ୍ୟ ନିଜ ଇଚ୍ଛା ମୁତାବକ ଚଳାଇବା ପାଇଁ ଚାପ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଦେଶ‌ରେ ସର୍ବାଧିକ ବର୍ଷ ଶାସନ କରିଥିବା କଂଗ୍ରେସ ଦଳ ନିଜକୁ ଦେଶଠାରୁ ବଡ଼ ବୋଲି ଭାବୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଚାରପତି ନିଯୁକ୍ତି କ୍ଷେତ୍ର‌ରେ ମଧ୍ୟ କଂଗ୍ରେସ ଆଇନକାନୁନକୁ ଜଳାଞ୍ଜଳି ଦେଇ କାର୍ଯ୍ୟ କରିଛି ବୋଲି ଦର୍ଶାଇ ମୋଦୀ କହିଥିଲେ ଯେ ସାମ୍ବିଧାନିକ ସଂସ୍ଥାଗୁଡ଼ିକର କ୍ଷମତାକୁ ନିୟନ୍ତ୍ରଣ କରିବା ନିମନ୍ତେ କଂଗ୍ରେସ ସର୍ବଦା ପ୍ରୟାସ କରିଥିବା ନଜିର ରହିଛି।

ସମ୍ବନ୍ଧିତ ଖବର