କନ୍ୟାକୁମାରୀ: ଆଜି ତାମଲନାଡୁର କନ୍ୟାକୁମାରୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ସାମ୍ପ୍ରତିକ ସ୍ଥିତିରେ ବିରୋଧୀଦଳମାନଙ୍କର ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରି ଖୁବ୍ ବର୍ଷିଛନ୍ତି। କେବଳ ରାଜନୀତିରୁ ଫାଇଦା ଉଠାଇବା ପାଇଁ ଦେଶକୁ ଦୁର୍ବଳ କରିଦିଅନାହିଁ ବୋଲି ସେ ବିରୋଧୀମାନଙ୍କୁ ଆହ୍ବାନ କରିଛନ୍ତି। ମୋଦୀ ଆସିଛି ଏବଂ ଯିବ, ମାତ୍ର ଦେଶ ସେମିତି ରହିଥିବ। ଆମେ ପ୍ରଥମେ ଭାରତୀୟ, ଆମ ରାଜନୀତି ପଛ କଥା ବୋଲି କହି ମୋଦୀ ବିରୋଧୀମାନଙ୍କୁ କଟାକ୍ଷ କରିଛନ୍ତି। ୨୦୦୮ ସେପ୍ଟେମ୍ବର ୧୧ ମୁମ୍ବାଇ ଆକ୍ରମଣ ପରେ ତତ୍କାଳୀନ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ଉଲ୍ଲେଖ କରି ମୋଦୀ ତାଙ୍କ ଏନଡିଏ ସରକାର କାର୍ଯ୍ୟଦକ୍ଷତା ଏବଂ କାର୍ଯ୍ୟାନୁଷ୍ଠାନରେ ବିଶ୍ବାସ କରେ ବୋଲି କହିଛନ୍ତି। ସେହିପରି ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ବାଲାକୋଟ ବୋମାମାଡ଼ ଘଟଣାକୁ ଇଙ୍ଗିତ କରି ଉରି ଏବଂ ପୁଲଵାମା ଆକ୍ରମଣ ପରେ ଆମ ବୀର ସୈନିକମାନେ କିପରି ଶତ୍ରୁ ମାଟିରେ ପଶି ସାହସିକତା ଦେଖାଇଲେ ବୋଲି ସେ କହିଛନ୍ତି। ଏପରିକି ଗତ ଦୁଇ ଦିନ ହେଲା ଆମ ସେନାବାହିନୀ ନିଜର ଶକ୍ତି ଏବଂ ପରାକ୍ରମ ଦେଖାଇ ଆସିଛି। ମାତ୍ର ପରିତାପର ବିଷୟ, ମୋଦୀ ଘୃଣାକାରୀଙ୍କ ଦ୍ବାରା ପରିଚାଳିତ କିଛି ରାଜନୈତିକ ଦଳ ଏବେ ଭାରତକୁ ଘୃଣା କରିବା ଆରମ୍ଭ କରିଛନ୍ତି। ଆତଙ୍କବାଦ ବିରୋଧୀ ଅଭିଯାନରେ ସମଗ୍ର ଦେଶ ଆମ ସେନାବାହିନୀ ପଛରେ ଛିଡ଼ା ହୋଇଥିବା ବେଳେ କିଛି ରାଜନୈତିକ ଦଳ ସେମାନଙ୍କ ଲଢ଼େଇକୁ ପ୍ରଶ୍ନ କରିଛନ୍ତି। ଏ ବାବଦ ସେମାନଙ୍କ ମନ୍ତବ୍ୟ ହିଁ ପାକିସ୍ତାନକୁ ସୁହାଉଛି ବୋଲି ମୋଦୀ କହିଛନ୍ତି। ଦେଶ ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସାୀତାରମଣ ଏବଂ ବାୟୁସେନାର ଗର୍ବ ଓ ଗୌରବ ଵିଙ୍ଗ କମାଣ୍ଡର ଅଭିନନନ୍ଦନ ବର୍ଦ୍ଧମାନଙ୍କ ପାଇଁ ଗର୍ବିତ ବୋଲି ସେ କହିଛନ୍ତି।
ବିରୋଧୀଙ୍କୁ ମୋଦୀଙ୍କ ସମାଲୋଚନା: ରାଜନୀତି ପାଇଁ ଦେଶକୁ ଦୁର୍ବଳ କରନାହିଁ
/sambad/media/post_attachments/wp-content/uploads/2019/03/modi-copy.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)