ବାରିପଦା: ଚୌକିଦାର ରହିଲେ ଚୋରକୁ ଅଡୁଆ। ଚୋରି କରିବାକୁ ହେଲେ ଚୌକିଦାରକୁ ପ୍ରଥମେ ହଟେଇବାକୁ ପଡ଼ିବ। ଦେଶର ଚୋରମାନେ ସହଜରେ ନିଜ କାମ କରିବାକୁ ଚୌକିଦାରକୁ ହଟାଇବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। କଂଗ୍ରେସକୁ ଆକ୍ଷେପ କରି ଏପରି କଡା କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ‘ଚୌକିଦାର ଚୋର୍ ହୈ’ବୋଲି କହୁଥିବା ବେଳେ,ଆଜି ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ ରଖିଛନ୍ତି।
ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ୪୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବା ପରେ ଏକ ଦଳୀୟ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ। ଏହି ଦଳୀୟ ସଭାରେ ସେ ମୁଖ୍ୟତଃ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ପ୍ରଧାନମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଦେଶର ସବୁଠାରୁ ପୁରୁଣା ଦଳର ନେତା ମତେ କହୁଛନ୍ତି ଆପଣ ଭାରତ ମାତା କି ଜୟ କହି ଭାରତର ବିଭାଜନ କରନ୍ତୁ ନାହିଁ। ଦେଶ ମାତୃକାର ଜୟ କହିବା କିପରି ବିଭାଜନ ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ସେ ମଧ୍ୟପ୍ରଦେଶର କଂଗ୍ରେସ ସରକାର ବନ୍ଦେ ମାତରଂ ଗାଇବା ଉପରେ ପ୍ରତିବନ୍ଧ ଲଗାଇବା ପ୍ରସଙ୍ଗକୁ ମଧ୍ୟ ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ରାଫେଲ୍ ପ୍ରସଙ୍ଗ ଓ ଅଗଷ୍ଟା ହେଲିକପ୍ଟର ଦୁର୍ନୀତି କଥା ଉତ୍ଥାପନ କରିଥିଲେ। ସେ ଅଗଷ୍ଟା ଦୁର୍ନୀତି ମାମଲାରେ ବିଦେଶରୁ ପ୍ରତ୍ୟାର୍ପିତ ହୋଇଥିବା ଅସ୍ତ୍ର ଦଲଊାଲ୍ ମିସେଲ୍ ଖୁଲାସା କରିଛନ୍ତି ଯେ ତାଙ୍କର କଂଗ୍ରେସର ଶୀର୍ଷ ନେତା ଓ ମନ୍ତ୍ରୀଙ୍କ ସହ ପରିଚୟ ଥିଲା। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ କେଉଁ ଫାଇଲ୍ କୁଆଡେ ଗଲା ତାହା ପ୍ରଧାନମନ୍ତ୍ରୀ ଜାଣି ପାରୁ ନ ଥିଲେ ହେଁ ସେ ଜାଣିପାରୁ ଥିଲେ। ଏହି ଖୁଲାସା ଏବେ କଂଗ୍ରେସକୁ ଅଡୁଆରେ ପକାଇ ଦେଇଛି। ତେଣୁ କଂଗ୍ରେସ ଦେଶବାସୀଙ୍କ ଚୌକିଦାରକୁ ହଟାଇବାକୁ ଷଡ଼ଯନ୍ତ୍ର ଚଳାଇଛି।
ନିଜ ଅଭିଭାଷଣରେ ମୋଦି କେନ୍ଦ୍ର ସରକାରଙ୍କ ସଫଲତା ବି ବଖାଣି ଥିଲେ। ଉଜ୍ଜ୍ୱଳା ଯୋଜନାରେ ୬ କୋଟି ମହିଳା ଗ୍ୟାସ ସଂଯୋଗ ପାଇବା, ମିସନ୍ ଇନ୍ଦ୍ରଧନୁଷ ଜରିଆରେ ଦେଶର ଶତ ପ୍ରତିଶତ ଟିକାକରଣ ଦିଗକୁ ଗତିକରିବା, ମହିଳା ଓ ଶିଶୁଙ୍କ ଶିକ୍ଷା,ସ୍ୱାସ୍ଥ୍ୟ ଓ ସୁରକ୍ଷା ଲାଗି ବହୁ ଯୋଜନା ସଫଳ ହୋଇଥିବା କଥା ବର୍ଣ୍ଣନା କରିଥିଲେ ପ୍ରଧାନମନ୍ତ୍ରୀ।