ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କଲେ ମୋଦୀ: ସବୁ ଦୁର୍ନୀତିଗ୍ରସ୍ତ ଗୋଟିଏ ମଞ୍ଚରେ

ଅଦାଲତ ରାୟକୁ ବି ପ୍ରଶ୍ନ କରୁଛନ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦିଲ୍ଲୀରେ ବିଜେପି ମୁଖ୍ୟାଳୟ ପରିସରରେ ଏକ ନବ ନିର୍ମିତ ଆବାସିକ କମ୍ପ୍ଲେକ୍ସ ଓ ଅଡିଟୋରିୟମ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ ମୋଦୀ ବିରୋଧୀ ଦଳ ନେତାଙ୍କ ଉପରେ ବର୍ଷିଛନ୍ତି।

ମୋଦୀ କହିଛନ୍ତି, ଦୁର୍ନୀତିରେ ବୁଡ଼ି ରହିଥିବା ସମସ୍ତ ବିରୋଧୀ ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ସେମାନେ ନ୍ୟାୟାଳୟର ନିଷ୍ପତ୍ତି ଉପରେ ବି ପ୍ରଶ୍ନ ଉଠାଉଛନ୍ତି । କିନ୍ତୁ ଆମେ ଦୁର୍ନୀତିର ମୂଳକୁ ଦୋହଲାଇ ଦେଇଛୁ। ପିଏମଏଲ୍‌ଏ ଅଧୀନରେ କଂଗ୍ରେସ ଶାସନ ସମୟରେ ମୋଟ୍‌ ୫ ହଜାର କୋଟି ଜବତ ହୋଇଥିଲା କିନ୍ତୁ ବିଜେପି ଶାସନ ଅଧୀନରେ ୧୦,୦୦,୦୦୦ କୋଟି ଜବତ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୋଦୀ ବିଜେପିର ଅତି କଠିନ ଯାତ୍ରା କଥା ମନେ ପକାଇ କହିଛନ୍ତି, ୧୯୮୪ ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୨ଟି ଆସନରେ ଜିତିଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ଏହା ୩୦୦ରୁ ଅଧିକ ଆସନରେ ଜିତିଲା। ବିଜେପିର ଅଫିସ ସମ୍ପ୍ରସାରଣର ଅର୍ଥ ନୁହେଁ ଯେ କେବଳ ଏକ କୋଠାର ସମ୍ପ୍ରସାରଣ, ଏହା ବିଜେପି କର୍ମୀମାନଙ୍କ ସ୍ବପ୍ନର ସମ୍ପ୍ରସାରଣ। ଦଳର କୋଟିକୋଟି କର୍ମୀ ଓ ପ୍ରତିଷ୍ଠାତା ସଦସ୍ୟଙ୍କ ନିକଟରେ ମୁଣ୍ଡ ନୁଆଁଉଛି। ମୋଦୀ କହିଛନ୍ତି, ବିଜେପି ଏକମାତ୍ର ଦଳ ଯାହାର ଚେର ଦକ୍ଷିଣଠାରୁ ଆରମ୍ଭ କରି ଉତ୍ତର ପର୍ଯ୍ୟନ୍ତ ଏବଂ ପୂର୍ବଠାରୁ ଆରମ୍ଭ କରି ପଶ୍ଚିମ ପର୍ଯ୍ୟନ୍ତ ବ୍ୟାପିଛି। ମୋଦୀ କହିଛନ୍ତି, ବିଜେପି କେବଳ ବିଶ୍ବର ବୃହତ୍ତମ ଦଳ ନୁହେଁ ବରଂ ଏହା ସବୁଠୁ ବଡ଼ ଦୂରଦର୍ଶୀ ଦଳ। ବିଜେପିକୁ ଆଜି ବିଶ୍ବର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଗଣାଯାଉଛି। ମୋଦୀ କହିଛନ୍ତି, କର୍ମୀଙ୍କର କଠିନ ପରିଶ୍ରମ ପାଇଁ ଦଳକୁ ସଫଳତା ମିଳିଛି।

ବିରୋଧୀଙ୍କ ଉପରେ ବର୍ଷି ମୋଦୀ କହିଛନ୍ତି, ତାଙ୍କ ପ୍ରତିଦ୍ବନ୍ଦ୍ବୀମାନେ ଦୁର୍ନୀତିକୁ ସୁରକ୍ଷା ଦେବାପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ଏକଜୁଟ ହୋଇଛନ୍ତି। ମୋଦୀ କହିଛନ୍ତି, ଦେଶକୁ ଟାର୍ଗେଟ୍‌ କରିବାପାଇଁ ଏବେ ଦେଶ ଭିତରେ ଏବଂ ଦେଶ ବାହାରେ ଭାରତ ବିରୋଧୀ ଶକ୍ତିମାନେ ଏକାଠି ହୋଇଛନ୍ତି। ଏହାର ଯଥୋଚିତ ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର