ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ନମୋ ଭାରତ କରିଡର୍ର ନୂତ ପର୍ଯ୍ୟାୟ ଉଦ୍ଘାଟନ ପରେ ଏକ ରୢାଲିକୁ ଉଦ୍ବୋଧନ ଦେଇ ଦିଲ୍ଲୀର ଆପ୍ ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଜାତୀୟ ରାଜଧାନୀକୁ ‘ଆପ୍ଦା’(ବିପର୍ଯ୍ୟୟ) ନୁହେଁ, ବିକାଶ ଦରକାର। ଆଗାମୀ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ପଦ୍ମ ଫୁଟିବାକୁ ଯାଉଛି। ଆଗାମୀ ୨୫ ବର୍ଷ ଦିଲ୍ଲୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦିଲ୍ଲୀରେ ବିକାଶର ଧାରା ତ୍ବରାନ୍ବିତ ହେବା ଜରୁରୀ। ବିଜେପି ଏପରି ଏକ ଦଳ ଯିଏ ସେବା ଭାବନା ସହିତ କାମ କରେ। ମୁଁ ଦିଲ୍ଲୀବାସୀଙ୍କୁ ଏକ ସ୍ୱତନ୍ତ୍ର ଅନୁରୋଧ କରିବାକୁ ଏଠାକୁ ଆସିଛି। ଦିଲ୍ଲୀର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଜେପିକୁ ସୁଯୋଗ ଦେବାକୁ ମୁଁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରୁଛି। କେବଳ ବିଜେପି ହିଁ ଦିଲ୍ଲୀର ବିକାଶ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବିଜେପି କ୍ଷମତାକୁ ଆସିଲେ ହିଁ ବିକାଶ ଓ ସୁଶାସନର ଡବଲ୍ ଇଂଜିନ୍ ଆସିବ
ଦିଲ୍ଲୀର ବିକାଶକୁ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମେ ୨୦୨୫ରେ ଅଛୁ, ଏକବିଂଶ ଶତାବ୍ଦୀର ୨୫ ବର୍ଷ ବିତିଗଲାଣି। ଏବେ ଆଗାମୀ ୨୫ ବର୍ଷ ଭାରତର ଭବିଷ୍ୟତ ପାଇଁ ଏବଂ ଦିଲ୍ଲୀର ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ୨୫ ବର୍ଷରେ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଆମେ ଏହାର ଅଂଶୀଦାର ରହିବୁ। ନୂଆ ପିଢ଼ି ଭାରତକୁ ଆଧୁନିକତାର ଏକ ନୂଆ ପର୍ଯ୍ୟାୟ ଦେଇ ଗତି କରୁଥିବା ଦେଖିବେ। ବିକଶିତ ଭାରତର ଏହି ଯାତ୍ରାରେ ଖୁବଶୀଘ୍ର ଏକ ବଡ ମାଇଲଖୁଣ୍ଟ ଆସୁଛି, ଯେତେବେଳେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ ହେବ। ଆପ୍ ଉପରେ କଡ଼ା ପ୍ରହାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀ ଯେଉଁଭଳି ରାଜ୍ୟ ସରକାର ଦେଖିଛି ତାହା କୌଣସି ‘ଆପ୍ଦା’ରୁ କମ୍ ନୁହେଁ। ଦିଲ୍ଲୀବାସୀ ଆଜି ଏହାକୁ ଭଲ ଭାବରେ ଅନୁଭବ କରିଛନ୍ତି। ତେଣୁ ଏବେ ଦିଲ୍ଲୀରେ କେବଳ ଗୋଟିଏ ସ୍ୱର ଗୁ୍ଞ୍ଜରିତ ହେଉଛି- ଆପଣ ବରଦାସ୍ତ କରିବେ ନାହିଁ, ଦିଲ୍ଲୀରେ ସ୍ଥିତି ବଦଳିବ। ଦିଲ୍ଲୀ ମେଟ୍ରୋର ବଢୁଥିବା ନେଟୱର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଦିଲ୍ଲୀ ମେଟ୍ରୋକୁ କୋଣ ଅନୁକୋଣକୁ ନେଇଯାଇଛି। ଗତ ଏକ ଦଶନ୍ଧି ମଧ୍ୟରେ ଦିଲ୍ଲୀ-ଏନ୍ସିଆର୍ରେ ମେଟ୍ରୋ ନେଟୱର୍କ ଦ୍ୱିଗୁଣିତ ହୋଇଛି। ଆଜି ଜନକପୁରି ଓ କ୍ରିଷ୍ଣା ପାର୍କ ପାଇଁ ମଧ୍ୟ ମେଟ୍ରୋ ଆରମ୍ଭ ହୋଇଛି। ଏହା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ନମୋ ରେଳ ପ୍ରକଳ୍ପ। ଯେଉଁମାନେ ଦିଲ୍ଲୀରେ ‘ଆପ୍ଦା’ ଆଣନ୍ତି ସେମାନେ ମିଥ୍ୟା ଅଭିଯୋଗ କରନ୍ତି ଯେ କେନ୍ଦ୍ର ସରକାର ସେମାନଙ୍କୁ କାମ କରିବାକୁ ଦିଅନ୍ତି ନାହିଁ। କେନ୍ଦ୍ର ସରକାର ସେମାନଙ୍କୁ ଟଙ୍କା ଦେଉନାହାନ୍ତି ବୋଲି ବହୁତ ବଡ଼ ମିଛ କହୁଛନ୍ତି। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରି ମୋଦୀ କହିଛନ୍ତି, ଏବେ ଶୀଶମହଲରେ ହୋଇଥିବା ଖର୍ଚ୍ଚର ତଥ୍ୟ ପ୍ରଘଟ ହୋଇସାରିଛି।
‘ମୋଦୀଙ୍କ ଏକମାତ୍ର ଏଜେଣ୍ଡା ଆପ୍କୁ ନିନ୍ଦିତ କରିବା’
ନୂଆଦିଲ୍ଲୀ: ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିବା ବେଳେ ଏବେ ଶାସକ ଆମ୍ ଆଦମୀ ପାର୍ଟି(ଆପ୍) ଓ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। ଆପ୍ ଉପରେ ଆକ୍ରମଣକୁ ଶାଣୀତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆପ୍’ ଦିଲ୍ଲୀ ପାଇଁ ଏକ ‘ଆପଦା’ (ବିପର୍ଯ୍ୟୟ) ବୋଲି କହୁଥିବା ବେଳେ ଏହାର ପ୍ରତିକ୍ରିୟାରେ ଆଜି ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାନସଭା ନିମନ୍ତେ ବିଜେପିର କୌଣସି ଏଜେଣ୍ଡା ନାହିଁ, କେବଳ ଆପ୍କୁ ନିନ୍ଦିତ କରିବା ହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ୟ । ଆଜି, ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇ କେଜ୍ରିୱାଲ କହିଛନ୍ତି, ଯଦି ଆପ୍ କେନ୍ଦ୍ରକୁ ସହାୟତା କରିନଥାନ୍ତା ତେବେ ରାଜଧାନୀ ଦିଲ୍ଲୀରେ ନୂଆ ରେଳ ପ୍ରକଳ୍ପ ସମ୍ଭବ ହୋଇପାରି ନଥାନ୍ତା। ଯେଉଁମାନେ ଅଭିଯୋଗ କରୁଛନ୍ତି ଯେ ଆପ୍ ସର୍ବଦା ବିବାଦ କରୁଛି, ଆଜିର ଉଦ୍ଘାଟନ ତାହାକୁ ଭୁଲ୍ ପ୍ରମାଣିତ କରୁଛି। ଆପ୍ କେବଳ ଲଢ଼େ ନାହିଁ ଦିଲ୍ଲୀ ଲୋକଙ୍କ ବିକାଶ ପାଇଁ ମଧ୍ୟ ସହାୟତା କରେ। ତେବେ ପ୍ରଧାନମନ୍ତ୍ରୀ ନିଜେ ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି।