ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାଜସ୍ଥାନର କଂଗ୍ରେସ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଦଳ ନିଜର ତୁଷ୍ଟୀକରଣ ନୀତିରେ ଅସାମାଜିକ ତତ୍ତ୍ୱମାନଙ୍କୁ ଖୋଲାରେ ଛାଡି ରାଜ୍ୟକୁ ଅପରାଧ ଓ ଦଙ୍ଗା ସଂଖ୍ୟାରେ ଶୀର୍ଷରେ ପହଞ୍ଚାଇଛି। ଭରତପୁରରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଜନତା ‘ଯାଦୁକର’ଙ୍କୁ ଭୋଟ୍ ନଦେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ନିର୍ବାଚନ ପରେ ରାଜ୍ୟରୁ କଂଗ୍ରେସ ଲୋପ ପାଇଯିବ। ଡିସେମ୍ବର ୩ରେ କଂଗ୍ରେସ ‘ଛୁମନ୍ତର’। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ ପେସାଦାର ଯାଦୁକରଙ୍କ ପୁଅ ଗେହଲଟ୍ ସାରା ଦେଶ ଭ୍ରମଣ କରି ଯାଦୁ କୌଶଳ ପ୍ରଦର୍ଶନ କରୁଥିଲେ। ଗୋଟିଏ ପଟେ ଭାରତ ବିଶ୍ୱରେ ଅଗ୍ରଣୀ ପାଲଟିଛି। ଅନ୍ୟପକ୍ଷରେ ଗତ ୫ ବର୍ଷ ମଧ୍ୟରେ ରାଜସ୍ଥାନରେ କ’ଣ ଘଟିଛି ତାହା ଆପଣମାନେ ସମସ୍ତେ ଜାଣନ୍ତି। କଂଗ୍ରେସ ରାଜସ୍ଥାନକୁ ଦୁର୍ନୀତି, ଦଙ୍ଗା ଓ ଅପରାଧରେ ଅଗ୍ରଣୀ କରିଛି। ସେଥିପାଇଁ ରାଜସ୍ଥାନ କହୁଛି- ମ୍ୟାଜିସିଆନ୍ ଜୀ, ଆପଣଙ୍କୁ କୌଣସି ଭୋଟ୍ ମିଳିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

କଂଗ୍ରେସ ଦଳ ତୁଷ୍ଟୀକରଣ ନୀତିରେ ଅପରାଧୀ ତତ୍ତ୍ୱମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଯେଉଁଠି କଂଗ୍ରେସ କ୍ଷମତାକୁ ଆସେ, ସେଠାରେ ଆତଙ୍କବାଦୀ, ଅପରାଧୀ ଓ ଦଙ୍ଗାକାରୀଙ୍କୁ ଖୋଲା ଛାଡ଼ି ଦିଆଯାଏ। ତୁଷ୍ଟୀକରଣ ହିଁ କଂଗ୍ରେସ ପାଇଁ ସବୁକିଛି। ତୁଷ୍ଟୀକରଣ ପାଇଁ କଂଗ୍ରେସ ଯେକୌଣସି ସୀମାକୁ ଯାଇପାରେ, ଯଦିଓ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନକୁ ବାଜି ଲଗାଇଦେବା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ପାଞ୍ଚ ବର୍ଷ ଶାସନ କାଳରେ ରାଜ୍ୟରେ ସର୍ବାଧିକ ମହିଳା ଓ ଦଳିତଙ୍କ ବିରୋଧରେ ଅପରାଧ ହୋଇଛି। ହୋଲି ହେଉ, ରାମନବମୀ ହେଉ କିମ୍ବା ହନୁମାନ ଜୟନ୍ତୀ, ଆପଣମାନେ ଶାନ୍ତିଶୃଙ୍ଖଳାର ସହ କୌଣସି ପର୍ବ ପାଳନ କରିପାରିବେ ନାହିଁ। ରାଜସ୍ଥାନରେ ଦଙ୍ଗା, ପଥରମାଡ଼, କର୍ଫ୍ୟୁ, ଏସବୁ ଜାରି ରହିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ରାଜସ୍ଥାନର ମହିଳାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ଦେଇଛି। ଯେଉଁ ମୁଖ୍ୟମନ୍ତ୍ରୀ କହୁଛନ୍ତି, ମହିଳାମାନେ ନକଲି ଦୁଷ୍କର୍ମ ମାମଲା ରୁଜୁ କରନ୍ତି ବୋଲି, ସେ ମହିଳାଙ୍କୁ ସୁରକ୍ଷା ଦେଇପାରିବେ କି? ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ମିନିଟ୍ ପାଇଁ ମଧ୍ୟ କ୍ଷମତାରେ ରହିବାର ଅଧିକାର ଅଛି କି ବୋଲି ପ୍ରଶ୍ନ କରିଛନ୍ତି ମୋଦୀ। ରାଜସ୍ଥାନରେ ନଭେମ୍ବର ୨୫ରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଡିସେମ୍ବର ୩ରେ ଭୋଟ୍ ଗଣତି ହେବ।