ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅରବିନ୍ଦ କେଜ୍ରିୱାଲଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଆପ୍ ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟକାଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାର ଭବ୍ୟ ମରାମତିକୁ ଦର୍ଶାଇ ଆପ୍ ମୁଖ୍ୟଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି,   ସେ ଗରିବଙ୍କ ପାଇଁ ଘର ନିର୍ମାଣ ଉପରେ ଧ୍ୟାନ ଦେଉଥିବା ବେଳେ ଅନ୍ୟମାନେ ଶୀଶ୍‌ ମହଲ ନିର୍ମାଣ କରୁଛନ୍ତି। ଦିଲ୍ଲୀରେ ବସ୍ତିବାସିନ୍ଦାଙ୍କ ପାଇଁ ଏକ ଆବାସ ପ୍ରକଳ୍ପର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଶୀଶ୍‌ ମହଲ ନିର୍ମାଣ କରିପାରିଥାନ୍ତି, କିନ୍ତୁ ମୋ ପାଇଁ ସ୍ୱପ୍ନ ଥିଲା ମୋ ଦେଶବାସୀଙ୍କୁ ସ୍ଥାୟୀ ଘର ଯୋଗାଇବା। ଆସନ୍ତା ମାସରେ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ବିଜେପି ପାଇଁ ପ୍ରଚାର ଅଭିଯାନରେ ସହାୟକ ହୋଇଛି।

Advertisment

ପ୍ରଧାନମନ୍ତ୍ରୀ ଦିଲ୍ଲୀବାସୀଙ୍କୁ ଅପମାନିତ କରୁଛନ୍ତି: କେଜ୍ରିୱାଲ

ମୋଦୀ କହିଛନ୍ତି, ଦେଶ ଭଲ ଭାବେ ଜାଣେ ଯେ ସେ କେବେ ବି ନିଜ ପାଇଁ ଘର ନିର୍ମାଣ କରିନାହାନ୍ତି। ତେବେ ଗତ ୧୦ ବର୍ଷ ମଧ୍ୟରେ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ଘର ନିର୍ମାଣ କରାଯାଇ ସେମାନଙ୍କ ସ୍ୱପ୍ନ ପୂରଣ କରାଯାଇଛି। ଅରବିନ୍ଦ କେଜ୍ରିଵାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସରକାରୀ ବାସଭବନର ନବୀକରଣ ପାଇଁ ପାଖାପାଖି ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଛି। ଆପ୍‌କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ ମଦ ଦୁର୍ନୀତି, ସ୍କୁଲ ଦୁର୍ନୀତି ଓ ପ୍ରଦୂଷଣ ଦୁର୍ନୀତି କରିଛନ୍ତି। ଦିଲ୍ଲୀ ପାଇଁ ଏହା ଏକ ‘ଆପ୍‌-ଦା’ (ବିପର୍ଯ୍ୟୟ) ଏବଂ ଦିଲ୍ଲୀ ବାସିନ୍ଦା ଏହି ‘ଆପ୍‌-ଦା’ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଅଶୋକ ବିହାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦିଲ୍ଲୀ ଏକଜୁଟ ହୋଇ କହୁଛି, ‘ଆପ୍‌ଦା’ କୋ ନହି ସହେଙ୍ଗେ, ବଦଲ କର ରହେଙ୍ଗେ (ଆମେ ‘ଆପ୍‌ଦା’କୁ ବରଦାସ୍ତ କରିବୁ ନାହିଁ, ଆମେ ଏହାକୁ ପରିବର୍ତ୍ତନ କରିବୁ)।  ସହରରେ ‘ଝୁଗୀ-ଝୋପଡ଼ି’ (ବସ୍ତି କ୍ଲଷ୍ଟର) ବାସିନ୍ଦାଙ୍କ ପାଇଁ ୧୬୭୫ଟି ଫ୍ଲାଟ ଓ ଦୁଇଟି ସହରାଞ୍ଚଳ ପୁନଃନିର୍ମାଣ ପ୍ରକଳ୍ପ ସମେତ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ତେଣେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାର ଜବାବରେ କେଜ୍ରିୱାଲ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ଦିଲ୍ଲୀର ଜନାଦେଶ ଓ ଦିଲ୍ଲୀବାସୀଙ୍କ ଅପମାନିତ କରୁଛନ୍ତି।