ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ମେଣ୍ଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ନକାରାତ୍ମକତା ସହ ଆରମ୍ଭ ହୋଇଥିବା କୌଣସି ମେଣ୍ଟ ସଫଳ ହୋଇପାରି ନାହିଁ । କାହାର ବିରୋଧରେ ଗଠିତ ମେଣ୍ଟ ସଫଳ ହୋଇପାରେ ନାହିଁ । କ୍ଷମତା ହାସଲ ପାଇଁ ଏନଡିଏ ମେଣ୍ଟ ଗଠନ ହୋଇନଥିଲା ।
ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନଡିଏ ମେଣ୍ଟର ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏନଡିଏ ପାଇଁ ଦେଶ ପ୍ରଥମ, ଦେଶର ସୁରକ୍ଷା ପ୍ରଥମ, ପ୍ରଗତି ପ୍ରଥମ ଏବଂ ଲୋକ ସଶକ୍ତିକରଣ ପ୍ରଥମ । ଏକ ପ୍ରକାରରେ ଏନଡିଏ ହେଉଛି ଅଟଳଜୀଙ୍କର ଆଉ ଏକ ଐତିହ୍ୟ ଯାହା ଆମକୁ ଏକାଠି ବାନ୍ଧି ରଖିଛି । ଏନଡିଏ ଗଠନରେ ଲାଲକୃଷ୍ଣ ଆଡଭାନୀ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ସେ ଏବେ ବି ଆମକୁ ମାର୍ଗଦର୍ଶନ କରୁଛନ୍ତି ।
୧୯୯୮ରେ ଏନଡିଏ ଗଠନ ହୋଇଥିଲା, କିନ୍ତୁ କେବଳ ସରକାର ଗଠନ କରି କ୍ଷମତା ହାସଲ କରିବା ଏନଡିଏର ଲକ୍ଷ୍ୟ ନଥିଲା । ଏନଡିଏ କାହା ବିରୋଧରେ ଗଠିତ ହୋଇନଥିଲା, କାହାକୁ କ୍ଷମତାରୁ ହଟାଇବା ପାଇଁ ଏନଡିଏ ଗଠନ ହୋଇନଥିଲା । ଦେଶରେ ସ୍ଥିରତା ଆଣିବା ପାଇଁ ଏନଡିଏ ଗଠନ କରାଯାଇଥିଲା ।
ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ଦଳଗୁଡ଼ିକର ବୈଠକ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଦଳଗୁଡ଼ିକ ଛୋଟ ସ୍ୱାର୍ଥ ପାଇଁ ଏକାଠି ହେଉଛନ୍ତି। ସେମାନେ ଭାଙ୍ଗନ୍ତି, ଆମେ ଏକାଠି କରିଥାଉ । କେରଳରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଛି ଏବଂ ସେମାନେ ବେଙ୍ଗାଲୁରୁରେ ଏକାଠି ବସିଛନ୍ତି । ପଶ୍ଚିମବଙ୍ଗରେ ଟିଏମସି ଲୋକମାନେ କଂଗ୍ରେସ ଓ ବାମପନ୍ଥୀଙ୍କୁ ହତ୍ୟା କରନ୍ତି, କିନ୍ତୁ ସେମାନଙ୍କ ନେତାମାନେ ବି ଏକାଠି ବସିଛନ୍ତି । ଲୋକମାନେ ଦେଖୁଛନ୍ତି ଯେ କାହିଁକି ପରସ୍ପରକୁ ବିରୋଧ କରୁଥିବା ଏହି ଦଳମାନେ ଏକାଠି ହେଉଛନ୍ତି । ସେମାନଙ୍କ ଲକ୍ଷ୍ୟ ହେଉଛି ଯେକୌଣସି ମତେ କ୍ଷମତା ହାସଲ ।