ଗୋଟିଏ ଦେଶ ଆତଙ୍କବାଦକୁ ନିଜର ରାଷ୍ଟ୍ରୀୟ ନୀତି କରିଛି : ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍ କଲେ ମୋଦୀ

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିସଂଘ ମଞ୍ଚରୁ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି । ଏହା ସହିତ ଚୀନକୁ ମଧ୍ୟ ସେ ସମାଲୋଚନା କରିଛନ୍ତି ।

ଜାତିସଂଘ ସାଧାରଣ ପରିଷଦର ୭୬ତମ ବୈଠକରେ ଉଦବୋଧନ ଦେଇ ସେ କହିଛନ୍ତି ବିଶ୍ବରେ ଏପରି କିଛି ଦେଶ ଅଛନ୍ତି ଯେଉଁମାନେ ଆତଙ୍କବାଦକୁ ନିଜର ରାଷ୍ଟ୍ରୀୟ ନୀତି କରିଛନ୍ତି । କିନ୍ତୁ ସେମାନେ ଜାଣିବା ଉଚିତ ଯେ, ଆତଙ୍କବାଦ ସେମାନଙ୍କ ପାଇଁ ବି ବିପଜ୍ଜନକ । କେତେକ ଦେଶ ଆଫଗାନିସ୍ତାନ ପରିସ୍ଥିତିକୁ ନିଜର ଫାଇଦା ପାଇଁ ବ୍ୟବହାର କରୁଛନ୍ତି । ଆଫଗାନିସ୍ତାନ ମାଟି ଯେପରି ଆତଙ୍କବାଦ ପାଇଁ ବ୍ୟବହାର ନ ହୁଏ, ସେଥିପାଇଁ ଆମକୁ ନିଶ୍ଚିତ କରିବାକୁ ପଡ଼ିବ ।

ସେହିପରି ପରୋକ୍ଷରେ ଚୀନକୁ ଟାର୍ଗେଟ କରି ସେ କହିଛନ୍ତି ଯେ ମହାସାଗରଗୁଡ଼ିକର ଅପବ୍ୟବହାର ହେବାକୁ ଦିଆଯିବ ନାହିଁ । ମହାସାଗରର ସୁରକ୍ଷା ଆଜିର ଏକ ଜରୁରୀ ଆବଶ୍ୟକତା । ଏ କ୍ଷେତ୍ରରେ ଜାତିସଂଘ ହସ୍ତକ୍ଷେପ କରିବା ଉଚିତ । ଜାତିସଂଘ ନିଜେ ନିଜର ଗୁରୁତ୍ବ ବଜାୟ ରଖୁ ।

ସେ କହିଛନ୍ତି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଚଳିତ ବର୍ଷ ଭାରତ ନିଜ ସ୍ବାଧୀନତାର ୭୫ତମ ବର୍ଷ ପାଳନ କରୁଛି । ଜଣେ ଚା’ବାଲା ଭାରତର ପ୍ରଧାନମନ୍ତ୍ରୀ ହେବା ଭାରତୀୟ ଗଣତନ୍ତ୍ରର ସାମର୍ଥକୁ ଦର୍ଶାଉଛି ।

ସମ୍ବନ୍ଧିତ ଖବର