ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ଆସନ୍ତା ୧୭ ତାରିଖ ଦିନ ଭୋଟ୍ ଗ୍ରହଣ ହେବ। ନିର୍ବାଚନ ପ୍ରଚାର ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ। ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜୋରଦାର ପ୍ରଚାର କରିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଦଳ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ମାରାଥନ ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ବୈତୁଲରେ ଏକ ଜନସଭାକୁ ଉଦ୍ବୋଧନ ଦେଇ କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି। ରାହୁଲ ଗାନ୍ଧି ଗତକାଲି ଏକ ଜନସଭାରେ ‘ସବୁ ଭାରତୀୟଙ୍କ ହାତରେ ମେଡ୍ ଇନ୍ ଚାଇନା ଫୋନ ରହିଛି’ ବୋଲି ବୟାନ ଦେଇଥିବାରୁ ଏହାର ଜବାବରେ ପ୍ରଧାନମନ୍ତ୍ରୀ ତାଙ୍କ ନାମ ନନେଇ କହିଥିଲେ, ‘କଂଗ୍ରେସର ଜଣେ ମହାଜ୍ଞାନୀ କହୁଥିଲେ ଯେ ଭାରତର ସବୁ ଲୋକଙ୍କ ପାଖରେ ମେଡ୍ ଇନ୍ ଚାଇନା ମୋବାଇଲ ଫୋନ୍ ହିଁ ରହିଛି।
ମୂର୍ଖଙ୍କ ସର୍ଦ୍ଦାର, ତୁମେ କେଉଁ ଦୁନିଆରେ ଅଛ! କଂଗ୍ରେସର ନେତାଙ୍କୁ ନିଜ ଦେଶର ସଫଳତା ନ ଦେଖିବାର ମାନସିକ ରୋଗ ହୋଇଛି।’ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ସତ୍ୟ ଯେ ଭାରତ ଏବେ ବିଶ୍ବର ଦ୍ବିତୀୟ ସର୍ବବୃହତ୍ତ ମୋବାଇଲ ନିର୍ମାତା ରାଷ୍ଟ୍ର ଏବଂ ଏହାକୁ କଂଗ୍ରେସ ଦେଖିପାରୁନାହିଁ। କଂଗ୍ରେସ ସରକାର ସମୟରେ ଭାରତରେ ଯେତିକି ମୋବାଇଲ ଫୋନ୍ ତିଆରି ହେଉଥିଲା ତାହାର ମୂଲ୍ୟ ୨୦ ହଜାର କୋଟି ଟଙ୍କାରୁ କମ୍ ଥିଲା। ଏବେ ଭାରତରେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ମୋବାଇଲ ତିଆରି ହେଉଛି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ରାହୁଲ ମଧ୍ୟପ୍ରଦେଶର ହରଦାରେ ଏକ ସଭାରେ କହିଥିଲେ ଯେ କଂଗ୍ରେସ କ୍ଷମତାକୁ ଆସିଲେ ମେଡ୍ ଇନ୍ ଚାଇନାକୁ ମେଡ୍ ଇନ୍ ମଧ୍ୟପ୍ରଦେଶରେ ପରିଣତ କରିବେ। ସେ କହିଥିଲେ ଯେ ଏବେ ସବୁଠି କେବଳ ମେଡ୍ ଇନ୍ ଚାଇନା ହିଁ ଦେଖିବାକୁ ମିଳୁଛି। ସବୁ ଲୋକ ଚାଇନା ଫୋନ୍, ଜୋତା ଓ ଚାଇନା ପୋଷାକ ବ୍ୟବାହାର କରୁଛନ୍ତି ବୋଲି ରାହୁଲ କହିଥିଲେ।