ସରକାର କ’ଣ କରୁଛନ୍ତି? ସରକାର ଶୋଇଛନ୍ତି ! ପଥରଚେପା ଦଳୀୟ ସଭାରେ ଏପରି ଆକ୍ଷେପ କଲେ ପ୍ରଧାନମନ୍ତ୍ରୀ ମୋଦି

ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି : ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପଥରଚେପା ଠାରେ ଦଳୀୟ ସମାବେଶରେ ରାଜ୍ୟର ବିଜୁ ଜନତା ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟର ଜନଜାତିଙ୍କ ବିକାଶ ଲାଗି କେନ୍ଦ୍ର ସରକାର ଦେଉଥିବା ଅର୍ଥ ରାଜ୍ୟ ସରକାର ବ୍ୟୟ କରୁ ନାହାନ୍ତି। ନିର୍ବାଚନକୁ ଅପେକ୍ଷା ନକ ରି ଏହି ଅର୍ଥକୁ ଲୋକମାନଙ୍କ କଲ୍ୟାଣ ଲାଗି ଖର୍ଚ୍ଚ କରନ୍ତୁ ବୋଲି ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଦିବାସୀଙ୍କ ବିକାଶ ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ୪୦୦୦କୋଟି ଟଙ୍କା ଦେଇସାରିଛନ୍ତି। ଏହି ଟଙ୍କା ଆଦିବାସୀ ଟଙ୍କା, ଓଡ଼ିଶା ଲୋକଙ୍କ ଟଙ୍କା। ଖଣି ଅଞ୍ଚଳରେ ବିକାଶ ଲାଗି ଏହି ଅର୍ଥ ଦିଆଯାଇଛି। ମାତ୍ର ରାଜ୍ୟ ସରକାର ଏହାର ନଗଣ୍ୟ ଅଂଶ ଏଯାବତ୍‌ ଖର୍ଚ୍ଚ କରି ପାରିନାହାନ୍ତି। ସରକାର କ’ଣ କରୁଛନ୍ତି? ସରକାର ଏଠି ଶୋଇ ରହିଛି। ଏହି ଅର୍ଥର ସଦୁପଯୋଗ ଲୋକଙ୍କର ଅଧିକାର। ତେଣୁ ଏହାକୁ ତୁରନ୍ତ ଖର୍ଚ୍ଚ କରନ୍ତୁ। କେନ୍ଦ୍ର ସରକାର ଦେଇଥିବା ଏହି ଅର୍ଥ ଆଦିବାସୀଙ୍କ ଅଧିକାରର ଅର୍ଥ। ରାଜ୍ୟ ସରକାର ଗରିବ ଆଦିବାସୀଙ୍କ ଅଧିକାରରୁ ସେମାନଙ୍କୁ ବଞ୍ଚିତ ନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଏହି ସଭାରେ ପ୍ରଧାନମନ୍ତ୍ରୀ ନିଜ ସରକାରର ପ୍ରଶଂସା କରିଥିଲେ। ଗତ ୪ ବର୍ଷ  ଭିତରେ ଦେଶରେ ୬ କୋଟି ବେଆଇନ ରାସନ କାର୍ଡ ରଦ୍ଦ ହୋଇଛି।  ଗରିବଙ୍କୁ କେଜି ୨ ଟଙ୍କାରେ ଗହମ ଦିଆଯାଉଛି। ୩୦ ଟଙ୍କାରେ କିଣା ଯାଉଥିବା ଚାଉଳ ୩ ଟଙ୍କାରେ ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ।

ଏହାସହ ନାଁ ନନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି । ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ  ବିରୋଧୀ  ସହିପାରୁନାହାନ୍ତି । ୧୦୦ ପ୍ରତିଶତ ରାସନକାର୍ଡର ଡିଜିଟାଲକରଣ କରାଯାଇଛି । ଏହାଦ୍ୱାରା ବେଇମାନଙ୍କ ପକେଟକୁ ୯୦ ହଜାର କୋଟି ଟଙ୍କା ଯିବା ବନ୍ଦ ହୋଇଛି । ଗରିବଙ୍କୁ ଲୁଟ୍ କରୁଥିବା ବେଇମାନଙ୍କୁ ଦଣ୍ଡ ଦେବାକୁ ଚୌକିଦାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୋଦି ।

ଓଡ଼ିଆ ଗୀତ, ସଙ୍ଗୀତ, ଓଡିଶୀ ନୃତ୍ୟ ଓ ଓଡିଶାର ଭାଷା ଓ ସାହିତ୍ୟକୁ ମଧ୍ୟ ପ୍ରଂଶସା କରିଛନ୍ତି । ଓଡିଶାର ସଂସ୍କୃତି ଓ ପରମ୍ପରା ଉପରେ ପୂର୍ବରୁ ଧୂଳି ଜମି ଯାଇଥିଲା ତାହାର ପୁନରୁଦ୍ଧାର କାମ ବିଜେପି ସରକାରଆରମ୍ଭ କରିଥିବା ମୋଦି କହିଛନ୍ତି ।

 

ସମ୍ବନ୍ଧିତ ଖବର