ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଆଜି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ମୁମ୍ବାଇ ରାଜଭବନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୋଦୀ ଏବଂ ଠାକ୍ରେଙ୍କୁ ଆଜି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ ଆଜି ‘ସ୍ବରାଜ’ ସମ୍ପର୍କରେ କହିବା ସମୟରେ ଛତ୍ରପତି ଶିବାଜୀ ମହାରାଜ ଏବଂ ଛତ୍ରପତି ସମ୍ଭାଜି ମହାରାଜଙ୍କୁ ସ୍ମରଣ କରିଥିଲେ । ମୋଦୀ କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ଏବଂ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଆଜି ବି ପ୍ରତି ଭାରତୀୟଙ୍କ ମଧ୍ୟରେ ଦେଶଭକ୍ତିର ଭାବନାକୁ ସୁଦୃଢ଼ କରେ। ରାଜ ଭବନରେ ମୋଦୀ ଆଜି ଜଳ ଭୂଷଣ ଭବନ ଏବଂ ବିପ୍ଳବୀ ଗ୍ୟାଲେରି ଉଦ୍ଘାଟନ କରିଛନ୍ତି। ମୋଦୀଙ୍କୁ ଆଜି ମୁମ୍ବାଇର ଆଇଏନଏସ୍ ଶିକ୍ରା ହେଲିପୋର୍ଟ୍ରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ଉପମୁଖ୍ୟ ଅଜିତ ପାୱାର ଏବଂ ପ୍ରୋଟକଲ ମନ୍ତ୍ରୀ ସ୍ବାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉଦ୍ଧବ ଠାକ୍ରେ ରାଜଭବନ ଅଭିମୁଖେ ଗୋଟିଏ ଗାଡ଼ିରେ ଯାଇଥିଲେ। ଉଲ୍ଲେଖଯୋଗ୍ୟ,ହନୁମାନ ଚାଳିଶା ବିବାଦକୁ ନେଇ ବିଜେପି ଏବଂ ଶିବସେନା ନେତୃତ୍ବାଧୀନ ଏମ୍ଭିଏ ସରକାର ମଧ୍ୟରେ ଶତ୍ରୁତା ଲାଗି ରହିଥିବା ବେଳେ ପ୍ରଥମ ଥର ପାଇଁ ମୋଦୀ ଠାକ୍ରେଙ୍କୁ ଭେଟିଛନ୍ତି। ମୋଦୀ ଆଜି ମୁମ୍ବାଇରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୨୫ରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଲତା ମଙ୍ଗେସକର ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଠାକ୍ରେ ଯୋଗ ଦେଇନଥିଲେ।
ତାଲିକାରେ ନାଁ ନଥିବାରୁ ଆଦିତ୍ୟ ଠାକ୍ରେଙ୍କୁ ବାପାଙ୍କ ଗାଡ଼ିରୁ ଓହ୍ଲାଇବାକୁ କୁହାଗଲା
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକର୍ମୀ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକ୍ରେଙ୍କୁ ବାପାଙ୍କ କାର୍ରୁ ଓହ୍ଲାଇଯିବାକୁ କହିଥିଲେ। ମିଳିଥିବା ସୂଚାନୁଯାୟୀ ଏସ୍ପିଜି (ସ୍ପେସାଲ ପ୍ରୋଟେକସନ୍ ଗ୍ରୁପ୍) ଦାବି ଅନୁଯାୟୀ ମୁମ୍ବାଇରେ ମୋଦୀଙ୍କୁ ସ୍ବାଗତ କରିବାପାଇଁ ଯେଉଁ ଭିଆଇପି ତାଲିକା ହୋଇଥିଲା ସେଥିରେ ଆଦିତ୍ୟଙ୍କ ନାଁ ନଥିଲା। ତେଣୁ ଆଦିତ୍ୟ ଠାକ୍ରେଙ୍କୁ ତାଙ୍କ ବାପା ଉଦ୍ଧବ ଠାକ୍ରେଙ୍କ ଗାଡ଼ିରୁ ଓହ୍ଲାଇ ଯିବାକୁ କୁହାଯାଇଥିଲା। ତେବେ ଉଦ୍ଧବ ଠାକ୍ରେ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ତଥା ପୁଅ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ପରିଶେଷରେ ଆଦିତ୍ୟ ଠାକ୍ରେଙ୍କୁ ମୋଦୀଙ୍କୁ ସ୍ବାଗତ କରିବାକୁ ଅନୁମତି ମିଳିଥିଲା।