କୋଲକାତା: 'ଜୟ ଜଗନ୍ନାଥ' ଯେବେ ବି ଓଡିଶା ଆସନ୍ତି ମଂଚ ଉପରୁ ଭାଷଣ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଏଭଳି କହୁଥିବାର ଆପଣ ଅନେକ ଥର ଶୁଣିଥିବେ | ମହାପ୍ରଭୁଙ୍କ ପ୍ରତି ମୋଦୀଙ୍କ ଆସ୍ଥା ଓ ବିଶ୍ୱାସ ଅନେକ ଥର ମଧ୍ୟ ଦେଖିବାକୁ ମିଳିଛି | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହାକି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ମହାପ୍ରଭୁଙ୍କ ଫଟୋକୁ ଦୂରରୁ ଦେଖି କିଭଳି ସଭା ମଝିରେ ଆସନରୁ ଉଠିଯାଇ ପ୍ରଧାନମନ୍ତ୍ରୀ ଫଟୋ ଆଣିଥିବା କୁନି ଝିଅକୁ ଧନ୍ୟବାଦ ଜଣାଇଥିଲେ ତାହା ଦେଖିବାକୁ ମିଳିଛି | ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ | ତେବେ ଗତକାଲି ମୋଦୀ ପଶ୍ଚିମବଙ୍ଗର ଆରାମବାଗରେ ଏକ ଜନସଭାରେ ଯୋଗ ଦେଇଥିଲେ |

Advertisment

ଏହି ସମୟରେ ମଂଚ ଉପରେ ଅନ୍ୟ ନେତୃମଣ୍ଡଳୀଙ୍କ ସହ ସେ ବସିଥିବାବେଳେ ହଠାତ ମୋଦୀଙ୍କ ନଜରରେ ପଡିଥିଲା ଯେ ଜନଗହଳି ଭିତରେ କୁନି ଝିଅଟିଏ ମହାପ୍ରଭୁଙ୍କ ଫଟୋଟିଏ ଧରି ଛିଡ଼ାହୋଇଛି | ଆଉ ଏହା ଦେଖିବା ମାତ୍ରେ ତୁରନ୍ତ ମୋଦୀ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଉପହାର ଦେବାକୁ ଫଟୋଟିଏ ଆଣିଥିବା କୁନି ଝିଅଙ୍କୁ ଭେଟନ୍ତୁ ଓ ଫଟୋଟିକୁ ଆଣନ୍ତୁ | ଏନେଇ ନିର୍ଦ୍ଦେଶ ପାଇବା ପରେ ତୁରନ୍ତ ସୁରକ୍ଷାକର୍ମୀ ସେହି ଫଟୋଟିକୁ ଆଣିଥିଲେ | ତେବେ ଫଟୋଟିକୁ ମୋଦୀ ଗ୍ରହଣ କରିବା ସହ କୁନି ଝିଅକୁ ଧନ୍ୟବାଦ ଦେବାକୁ ଭୁଲିନଥିଲେ |

ସଭା ମଝିରେ ମୋଦୀ ଛିଡା ହେବା ସହ ଫଟୋଟିକୁ ହାତରେ ଧରି କୁନି ଝିଅ ଆଡକୁ ଇଙ୍ଗିତ କରି କହିଥିଲେ ଯେ,'କୁନି ଝିଅ ତୁମେ ପଠାଇଥିବା ମହାପ୍ରଭୁଙ୍କ ଫଟୋଚିତ୍ର ମୁଁ ପାଇଛି | ତୁମକୁ ଅଶେଷ ଧନ୍ୟବାଦ, ମହାପ୍ରଭୁଙ୍କ ଏହି ସୁନ୍ଦର ଫଟୋ ମୋତେ ଦେଇଥିବାରୁ' | ମୋଦୀଙ୍କ ଏହି ଇଙ୍ଗିତ ଦେଖି ମଂଚ ସମେତ ସମସ୍ତ ଜନସାଧାରଣ ଗୋଟିଏ କଣ୍ଠରେ କହିଥିଲେ ଯେ 'ଜୟ ଜଗନ୍ନାଥ' | କେବଳ ଉପସ୍ଥିତ ଜନତା ଜୟ ଜଗନ୍ନାଥ କହିନଥିଲେ ବରଂ ସମସ୍ତେ ଦୁଇ ହାତ ଉପରକୁ ଟେକିଦେଇଥିବାର ଦେଖିବାକୁ ମିଳିଥିଲା |