ଧାରା ୩୭୦ ପାଇଁ ବି ମୋଦୀ କ୍ଷମା ମାଗିବେ : ଜମ୍ମୁ ଓ କଶ୍ମୀର କଂଗ୍ରେସ ମୁଖ୍ୟ

ଶ୍ରୀନଗର : କୃଷି ଆଇନ ପ୍ରତ୍ୟାହାର ପରେ କଶ୍ମୀରରେ ପୁଣି ଧାରା ୩୭୦ ଲାଗୁ ପାଇଁ ଜୋର ଦାବି ଉଠିବାରେ ଲାଗିଛି । ପିଡିପି ଓ ନ୍ୟାସନାଲ କନଫରେନ୍ସ ପରେ ଏବେ କଂଗ୍ରେସ ବି ଏହି ଦାବି କରିଛି ।

ପ୍ରଧାନମନ୍ତ୍ରୀ ଯେପରି କୃଷି ଆଇନ ପ୍ରତ୍ୟାହାର କରି କୃଷକମାନଙ୍କୁ କ୍ଷମା ମାଗିଲେ ସେପରି ୩୭୦ ପ୍ରତ୍ୟାହାର ପାଇଁ ସେ ଖୁବଶୀଘ୍ର କ୍ଷମା ମାଗିବେ ବୋଲି ଜମ୍ମୁ ଓ କଶ୍ମୀର କଂଗ୍ରେସ ମୁଖ୍ୟ ଗୁଲାମ ଅହମ୍ମଦ ମୀର କହିଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେବା ବେଳେ ସେ ଏକଥା କହିଛନ୍ତି ।

ପୂର୍ବରୁ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦ୍ଦୁଲ୍ଲା ମଧ୍ୟ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପାଇଁ ଦାବି କରିସାରିଛନ୍ତି । ଗତକାଲି କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା ପରେ ମେହେବୁବା କହିଥିଲେ ଯେ ଆଗାମୀ ନିର୍ବାଚନରେ ହାରିବାର ଭୟ କାରଣରୁ ମୋଦୀ ସରକାର ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ଲୋକମାନଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ଏହା କରିବାକୁ ବାଧ୍ୟ ହେଲା । ତେବେ ଦୁଃଖର କଥା ହେଉଛି କଶ୍ମୀରବାସୀଙ୍କୁ ଅପମାନିତ କଲେ ବିଜେପିର ମୁଖ୍ୟ ଭୋଟ ବ୍ୟାଙ୍କ ସନ୍ତୁଷ୍ଟ ହେଉଛନ୍ତି । ବିଜେପି ନିଜ ଭୋଟରମାନଙ୍କୁ ସନ୍ତୁଷ୍ଟ କରିବାକୁ ହିଁ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିଥିଲା । ଏବେ ସରକାର ନିଜର ଭୁଲ ସୁଧାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେହିପରି ଫାରୁକ ମଧ୍ୟ ଜମ୍ମୁ ଓ କଶ୍ମୀରରେ ଧାରା ୩୭୦, ୩୫କ ଲାଗୁ କରିବା ସହ ପୂର୍ଣ୍ଣ ରାଜ୍ୟମାନ୍ୟତା ଫେରାଇ ଦେବାକୁ ଦାବି କରିଥିଲେ ।

ସମ୍ବନ୍ଧିତ ଖବର