୨୫ରେ ଜାତିସଂଘ ସାଧାରଣ ପରିଷଦକୁ ସମ୍ବୋଧନ କରିବେ ମୋଦୀ, କ୍ବାଡ୍ ବୈଠକରେ ଯୋଗ ଦେବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ ଦୁଇଦିନିଆ ଆମେରିକା ଗସ୍ତରେ ଯିବେ । ୨୪ ତାରିଖରେ ସେ ଗୁରୁତ୍ବପୂର୍ଣ୍ଣ କ୍ବାଡ୍ ସଂଗଠନ ସମ୍ମିଳନୀରେ ଯୋଗ ଦେବେ । ତା’ ପର ଦିନ ସେ ମିଳିତ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରିବେ । ଏହା ସହିତ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍ ବାଗଚୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୨୪ରେ ଆମେରିକା ପହଞ୍ଚିବା ପରେ କ୍ବାଡ୍ ସଂଗଠନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଂଶଗ୍ରହଣ କରିବେ । ହ୍ବାଇଟ ହାଉସରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୋଦୀଙ୍କ ବ୍ୟତୀତ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ମଧ୍ୟ ଯୋଗ ଦେବେ ।

ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସମଗ୍ର ବିଶ୍ବର ସୁରକ୍ଷା ପରିସ୍ଥିତି ବଦଳିବାରେ ଲାଗିଛି । ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନଗୁଡ଼ିକ ପୁଣି ନିଜର କାର୍ଯ୍ୟକଳାପ ଆରମ୍ଭ କରିବାର ଆଶଙ୍କା ରହିଛି । ଆହୁରି ମଧ୍ୟ ତାଲିବାନ ଉପରେ ପାକିସ୍ତାନ ଓ ଚୀନର ପ୍ରଭାବ ଯୋଗୁଁ ଭାରତ ପ୍ରତି ବିପଦ ବଢିବାର ଆଶଙ୍କା ରହିଛି । ବିଶ୍ବରେ ବଢିଚାଲିଥିବା ଚୀନର ଆଧିପତ୍ୟ ପରିପ୍ରେକ୍ଷୀରେ କ୍ବାଡ୍ ସଂଗଠନର ଗୁରୁତ୍ବ ବଢିଯାଇଛି ।

ସମ୍ବନ୍ଧିତ ଖବର