ମାତ୍ର ୧୨ ଘଣ୍ଟାରେ ଦିଲ୍ଲୀରୁ ମୁମ୍ବାଇ ! ଫେବ୍ରୁଆରି ୧୨ରେ ଏକ୍ସପ୍ରେସଓ୍ବେକୁ ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ଅର୍ଥାତ, ଫେବୃଆରୀ ୧୨ରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୋହନା-ଦୌସା ବିଭାଗକୁ ଉଦଘାଟନ କରିବେ । ଏହା ପରେ ଦେଶର ରାଜଧାନୀ ଦିଲ୍ଲୀ ଏବଂ ରାଜସ୍ଥାନର ରାଜଧାନୀ ଜୟପୁର ମଧ୍ୟରେ ଯାତ୍ରା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଶେଷ ହେବ । ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ନିର୍ମିତ ଏକ୍ସପ୍ରେସୱେ ୧୩୯୦ କିଲୋମିଟର ଲମ୍ବା, ଯେଉଁଥିପାଇଁ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ୨୪ ପରିବର୍ତ୍ତେ ମାତ୍ର ୧୨ ଘଣ୍ଟା ମଧ୍ୟରେ ଶେଷ ହେବ । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏକ୍ସପ୍ରେସୱେ ଶେଷ ହେବ ବୋଲି ଆଶା କରାଯାଉଛି। ଏହା ଏକ ଆଠ-ଲେନ୍ ଏକ୍ସପ୍ରେସ୍ ୱେ ଯାହାକୁ ୧୨ ଲେନ୍ ପର୍ଯ୍ୟନ୍ତ ବିସ୍ତାର କରାଯାଇପାରିବ । ଏହା ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ ।

 

ଏହି ଏକ୍ସପ୍ରେସ ଓ୍ବେ ଉଦଘାଟନ ସଂପର୍କରେ ଆଜି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଟୁଇଟ କରି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ବର୍ଷ ଜୁଲାଇ ମାସରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କରିଥିଲେ । ଏହି ଏକ୍ସପ୍ରେସୱେର କାର୍ଯ୍ୟ ୨୮ ମାସ ମଧ୍ୟରେ ଶେଷ ହୋଇଥିଲା । ଉତ୍ତରପ୍ରଦେଶ ଏକ୍ସପ୍ରେସୱେଜ୍ ଶିଳ୍ପ ବିକାଶ ପ୍ରାଧିକରଣ (ୟୁପିଇଡିଏ) ଅଧୀନରେ ପ୍ରାୟ ୧୪,୮୫୦ କୋଟି ଟଙ୍କା ବ୍ୟୟରେ ଏହି ଚାରି ଲେନ୍ ଏକ୍ସପ୍ରେସ୍ ୱେ ନିର୍ମାଣ କରାଯାଇଛି ଏବଂ ଆଗକୁ ୬ଟି ଲେନ୍ ପର୍ଯ୍ୟନ୍ତ ବିସ୍ତାର କରାଯାଇପାରିବ।

ସମ୍ବନ୍ଧିତ ଖବର