ଏପ୍ରିଲ ୮ରେ ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କ ସହ ଆଲୋଚନା କରିବେ ମୋଦୀ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂପର୍କିତ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖ ଦିନ ୧୧ଟା ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଭେଟିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା କରାଯିବ ।
ଉଭୟ ରାଜ୍ୟସଭା ଓ ଲୋକସଭାକୁ ମିଶାଇ ଯେଉଁ ଦଳର ୫ କିମ୍ବା ଅଧିକ ସାଂସଦ ଥିବେ ସେସବୁ ଦଳର ନେତାମାନଙ୍କ ସହ ଏହି ଆଲୋଚନା ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

ଦେଶରେ କରୋନା ଭାଇରସ ସ୍ଥିତିକୁ ନେଇ ଏକ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ବାରମ୍ବାର ଦାବି କରିଆସୁଥିଲେ । ଗତକାଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏହି ଦାବି କରିଥିଲେ ।
ସୂଚନାଯୋଗ୍ୟ ଯେ ଦେଶର ମୋଟ କରୋନା ମାମଲା ୨୯୦୨କୁ ବୃଦ୍ଧି ପାଇଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୧ଟି ନୂଆ କରୋନା ସଂକ୍ରମଣ ମାମଲା ଜଣାପଡ଼ିଛି । ଏହି ସମୟରେ ଦେଶରେ ୧୨ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଦେଶର ମୋଟ ମୃତ୍ୟୁସଂଖ୍ୟା ୬୮ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର