‘ଅଗ୍ନିପଥ’କୁ ବିରୋଧ ମଧ୍ୟରେ ତିନିବାହିନୀ ମୁଖ୍ୟଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ :  ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ଯୁବଗୋଷ୍ଠୀ ଆନ୍ଦୋଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାରଦିନ ତିନି ବାହିନୀ ମୁଖ୍ୟଙ୍କୁ ଭେଟିବେ ।

ମିଳିଥିବା ସୂଚନା ଅନୁସାରେ ତିନି ସେନାର ମୁଖ୍ୟମାନେ ଅଲଗା ଅଲଗା ଭାବେ ମୋଦୀଙ୍କୁ ଭେଟିବେ । ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର ପ୍ରଥମେ ମୋଦୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ଏହି ସାକ୍ଷାତ ବେଳେ ତିନି ସେନାମୁଖ୍ୟମାନେ ମୋଦୀଙ୍କ ଅଗ୍ନିପଥ ସ୍କିମ ସଂପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି । ଏହା ସହିତ ସିଡିଏସ ନିଯୁକ୍ତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ଆଜି ବେଙ୍ଗାଲୁରୁଠାରେ ଏକ ସଭାରେ ଉଦବୋଧନ ଦେଇ ମୋଦୀ ଅଗ୍ନିପଥ ସ୍କିମକୁ ସମର୍ଥନ କରି କହିଥିଲେ କେତେକ ସଂସ୍କାର ସାମୟିକ ଭାବେ ଅସୁବିଧା ସୃଷ୍ଟି କରିଥାଏ, କିନ୍ତୁ ଦୀର୍ଘକାଳ ପାଇଁ ଏହା ଉପକାର କରିଥାଏ ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ମଙ୍ଗଳବାରଦିନ ସେନା ବାହିନୀରେ ନୂଆ ନିଯୁକ୍ତି ଯୋଜନା ଅଗ୍ନିପଥର ଘୋଷଣା କରିଥିଲେ । ଏହା ମାଧ୍ୟମରେ ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ଯୁବତୀମାନେ ସେନାବାହିନୀରେ ୪ ବର୍ଷ ପାଇଁ ଯୋଗ ଦେଇପାରିବେ । ମାତ୍ର ଏହାକୁ ନେଇ ବିହାର, ଉତ୍ତରପ୍ରଦେଶ, ହରିୟାଣା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ଯୁବକମାନେ ପ୍ରବଳ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର