ମଙ୍ଗଳବାର ପୂର୍ବାଞ୍ଚଳ ଏକ୍ସପ୍ରେସଓ୍ବେର ଉଦଘାଟନ  : ଯୁଦ୍ଧ ବିମାନ ଚଢି ରାସ୍ତାରେ ଓହ୍ଲାଇବେ ମୋଦୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଆସନ୍ତା କାଲି ୩୪୦ କିଲୋମିଟର ଲମ୍ବ ପୂର୍ବାଞ୍ଚଳ ଏକ୍ସପ୍ରେସଓ୍ବେର ଉଦଘାଟନ ହେବ । ତେବେ ଏହାର ଉଦଘାଟନ ଏକ ଅଭିନବ ଉପାୟରେ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁସେନାର ଏକ ସି-୧୩୦ ଜେ ସୁପର ହର୍କୁଲେସ ବିମାନରେ ଉଡ଼ି ଏହାର ଉଦଘାଟନ କରିବେ । ଆସନ୍ତା କାଲି ଅପରାହ୍ଣ ୧ ଘଣ୍ଟା ୩୦ ମିନିଟରେ ମୋଦୀ ଏକ୍ସପ୍ରେସଓ୍ବେରେ ଓହ୍ଲାଇ ଏକ ଜନସଭାକୁ ଯିବେ ।

ଏହି ଏକ୍ସପ୍ରେସଓ୍ବେରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଉଡ଼ାଣ ଆରମ୍ଭ କରିପାରିବ ଓ ଓହ୍ଲାଇ ପାରିବ । ଯୁଦ୍ଧ ସମୟରେ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ ଏହି ଏକ୍ସପ୍ରେସଓ୍ବେର ବ୍ୟବହାର କରିପାରିବେ ।

 

ଆସନ୍ତାକାଲିର ଉଦଘାଟନ ସମାରୋହ ପାଇଁ ଗତ କିଛି ଦିନ ହେଲା ଏହି ଏକ୍ସପ୍ରେସଓ୍ବେରେ ବାୟୁସେନାର କେତେକ ଲଢୁଆ ବିମାନ ଅଭ୍ୟାସମୂଳକ ଉଡ଼ାଣ କରିଥିଲା । ସେସବୁ ବିମାନ ମଧ୍ୟରେ ଥିଲା ସୁଖୋଇ, ମିରେଜ-୨୦୦୦,ଏଏନ-୩୨ ଟର୍ବୋପ୍ରପ୍, କିରନ ଏମକେ-୨ ବିମାନ । ଲକ୍ଷ୍ନୌଠାରୁ ୧୦୦ କିଲୋମିଟର ଦୂରରେ ଏସବୁ ବିମାନ ଓହ୍ଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଅନ୍ୟପକ୍ଷରେ ଏହି ଏକ୍ସପ୍ରେସଓ୍ବେକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ଯେ ତାଙ୍କ ଅମଳରେ ହୋଇଥିବା କାମ ପାଇଁ ବିଜେପି ସରକାର କ୍ରେଡିଟ୍ ନେଉଛନ୍ତି ।

ଗତ ସେପ୍ଟେମ୍ବର ମାସରେ ରାଜସ୍ଥାନର ବାରମେରଠାରେ ଥିବା ଜାତୀୟ ରାଜପଥ ୯୨୫ରେ  କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଏକ ଏମର୍ଜେନ୍ସି ଲାଣ୍ଡିଂ ଷ୍ଟ୍ରିପର ଉଦଘାଟନ କରିଥିଲେ ।

 

ସମ୍ବନ୍ଧିତ ଖବର