ମା’ ଲୋ ତୋ ଆଶିଷ ଥାଉ ! ଜନ୍ମଦିନରେ ମା’ଙ୍କ ଅ‌ାଶୀର୍ବାଦ ନେଲେ, ଏକାଠି ଭୋଜନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଗାନ୍ଧୀନଗର:  କେତେବେଳେ ଆସିବ ପୁଅ, ବାଟ ଚାହିଁ ବସିଥିଲେ ମା ହୀରାବେନ | ମା ଙ୍କୁ ଭେଟିବାର ଉତ୍କଣ୍ଠା ବି ମୋଦୀଙ୍କୁ ଗାନ୍ଧିନଗର ଘରକୁ ଟାଣିନେଇଗଲା | ନିଜ ଜନ୍ମଦିନକୁ ମା’ଙ୍କ ସହ ସମୟ ବିତାଇ ଆଜି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ମା’ଙ୍କ ପାଖରେ ବସି ମଧ୍ୟାହ୍ଣ  ଭୋଜନ କରିବା ସହ ତାଙ୍କର ସ୍ୱାସ୍ଥ୍ୟ ବାବଦରେ ମଧ୍ୟ ମୋଦୀ ବୁଝିଛନ୍ତି | ମା ହୀରାବେନ ବି ପୁଅକୁ ଅଜାଡ଼ିଦେଇଛନ୍ତି ଅଜସ୍ର ଆଶୀର୍ଵାଦ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର  ଆଜି ୬୯ ତମ ଜନ୍ମଦିନ ହୋଇଥିବାବେଳେ ସେ ନିଜ ଗୃହ ରାଜ୍ୟ ଗୁଜୁରାଟ ଯାଇଛନ୍ତି । ମୋଦୀଙ୍କ ଜନ୍ମଦିନକୁ ନେଇ ତାଙ୍କ ସମର୍ଥକ ମଧ୍ୟ ଆଜି ଭିନ୍ନ ଭିନ୍ନ ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି | ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା ସହ ବାରଣାସୀରେ ଅଖଣ୍ଡ ରାମାୟଣ ପାଠର ମଧ୍ୟ ଆୟୋଜନ କରାଯାଇଥିଲା ।

ସେହିପରି ହନୁମାନ ମନ୍ଦିରରେ ମୋଦୀଙ୍କ ସମର୍ଥକ ଦେଢ କିଲୋଗ୍ରାମ ଓଜନର ଏକ ସୁନାର ମୁକୁଟ ହନୁମାନଙ୍କୁ ଭେଟି ଦେଇଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେଲେ ସୁନାର ମୁକୁଟ ଲାଗି କରିବାକୁ ସଂକଳ୍ପ ନେଇଥିବାରୁ ସୁନା ମୁକୁଟ ଦାନ କରୁଥିବା ସେ କହିଛନ୍ତି । ଏହି ଅବସରରେ ମୋଦୀ ଆଜି ଗୁଜୁରାଟ କେଭାଡିୟାରେ ଥିବା ପ୍ରଜାପତି ଉଦ୍ୟାନରେ ଶହ ଶହ ପ୍ରଜାପତିଙ୍କୁ ମଧ୍ୟ ଉଡ଼ାଇଥିଲେ |

ସମ୍ବନ୍ଧିତ ଖବର