ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଲୋକସଭାରେ ‘ଅପରେସନ୍ ସିନ୍ଦୂର’ ବିତର୍କରେ ଭାଗ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ଖଣ୍ଡନ କରିଛନ୍ତି। ଜୟଶଙ୍କର କହିଛନ୍ତି, ଏପ୍ରିଲ ୨୨ରୁ ଜୁନ୍ ୧୭ ମଧ୍ୟରେ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ସତର୍କ କରାଇଥିଲେ ଯେ ପାକିସ୍ତାନ ପଟୁ ବଡ଼ଧରଣର ଆକ୍ରମଣ ହେବାକୁ ଯାଉଛି। ଏହାର ଜବାବରେ ମୋଦୀ କହିଥିଲେ ଯେ ଭାରତ ଏହାର କଡ଼ା ଜବାବ ଦେବ।
ଏହାପରେ ଜୟଶଙ୍କର କହିଛନ୍ତି ଯେ ଭାରତ ମେ’ ୯ ଏବଂ ୧୦ ତାରିଖରେ ପାକିସ୍ତାନ ପଟୁ ହୋଇଥିବା ଲଗାତାର ଆକ୍ରମଣକୁ ସଫଳତାର ସହ ପଣ୍ଡ କରିଛି। ଜୟଶଙ୍କର କହିଛନ୍ତି, ଏକାଧିକ ରାଷ୍ଟ୍ର ମେ’ ୧୦ ତାରିଖରେ ଭାରତ ସହ ଯୋଗାଯୋଗ କରିଥିଲେ। ପାକିସ୍ତାନ ଅସ୍ତ୍ରବିରତି ଚାହୁଛି ବୋଲି ଅନେକ ରାଷ୍ଟ୍ର ଭାରତ ସହ ଯୋଗାଯୋଗ ସମୟରେ କହିଥିଲେ। କିନ୍ତୁ ଭାରତ ସ୍ପଷ୍ଟ ଜଣାଇ ଦେଇଥିଲା ଯେ କେବଳ ଡିଜିଏମ୍ଓ (ଡାଇରେକ୍ଟର ଜେନେରାଲ ଅଫ୍ ମିଲିଟାରି ଅପରେସନ୍ସ) ଚ୍ୟାନେଲ୍ ଦ୍ବାରା ହିଁ ପାକିସ୍ତାନ ପଟୁ ଯୁଦ୍ଧବିରତି କଥାବାର୍ତ୍ତା ବିଚାରକୁ ନିଆଯିବ। ଜୟଶଙ୍କର କହିଥିଲେ ଯେ ପାକିସ୍ତାନ ସହ ସଂଘର୍ଷ ମଧ୍ୟରେ ଭାରତ-ଆମେରିକା ମଧ୍ୟରେ କୌଣସି ବାଣିଜ୍ୟିକ ସମ୍ପୃକ୍ତି ନାହିଁ। ତେବେ ବିରୋଧୀମାନେ ଜୟଶଙ୍କରଙ୍କୁ ତୀବ୍ର ବିରୋଧ କରିଥିଲେ। ଏହି ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ହସ୍ତକ୍ଷେପ କରି କହିଥିଲେ ଯେ ବିରୋଧୀମାନେ ସେମାନଙ୍କ ନିଜ ବିଦେଶ ମନ୍ତ୍ରୀଙ୍କ କଥାକୁ ରଦ୍ଦ କରିଦେବାପାଇଁ ବ୍ୟଗ୍ର। କିନ୍ତୁ ସେମାନଙ୍କର ଅନ୍ୟ ରାଷ୍ଟ୍ର ଉପରେ ବିଶ୍ବାସ ଅଛି।