ମାନିଲାରେ ମୋଦି-ଟ୍ରମ୍ପ ଆଲୋଚନା: ଏସିଆର ଭବିଷ୍ୟତ ପାଇଁ ଯୋଜନା

ଦ୍ୱିପାକ୍ଷିକ ସମ୍ପର୍କ ଊର୍ଦ୍ଧ୍ୱରେ ଦୁଇ ଦେଶର ସହଯୋଗ

ମାନିଲା(ଫିଲିପାଇନ୍‌ସ): ଗତକାଲି ଠାରୁ ମାନିଲା ଠାରେ ଆରମ୍ଭ ହୋଇଥିବା ପୂର୍ବ ଏସିଆ ରାଷ୍ଟ୍ର ସଂଘ (ଆସିଆନ୍‌)ର ୫୦ତମ ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିପାକ୍ଷିକ ଆଲୋଚନା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ଥିଲା। ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ବ୍ୟତିରେକେ ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିଥିବା ଚର୍ଚ୍ଚା ହେଉଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତର ପ୍ରମୁଖ ଭୂମିକାକୁ ଆମେରିକା ପସନ୍ଦ କରୁଥିବାରୁ ମୋଦି-ଟ୍ରମ୍ପ ଆଲୋଚନାର ନିର୍ଯ୍ୟାସ ହିଁ ସଂପୃକ୍ତ ଅଞ୍ଚଳରେ ଚୀନ୍‌ ପ୍ରଭାବକୁ ପ୍ରତିହତ କରିବା ପାଇଁ ଭାରତ ହିଁ ନେତୃତ୍ୱର କେନ୍ଦ୍ର ହେବ ବୋଲି କୁହାଯାଉଛି। ତେବେ ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିଥିବା ବେଳେ ତାହା ସକାରାତ୍ମକ ଥିଲା ବୋଲି ଦୁହିଁଙ୍କ ହାବଭାବରୁ ସ୍ପଷ୍ଟ ହୋଇଛି।
ଭାରତ ଓ ଆମେରିକା ଦ୍ୱିପାକ୍ଷିକ ଆଲୋଚନାର ଊର୍ଦ୍ଧ୍ୱକୁ ଯାଇ ମଧ୍ୟ ସମଗ୍ର ଏସିଆର ମଙ୍ଗଳ ପାଇଁ ମିଳିତ ହୋଇ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି ଆଲୋଚନା ପରେ କହିଛନ୍ତି। ସମ୍ପ୍ରତି ଦକ୍ଷିଣ ଚୀନ୍‌ ସାଗର ବିବାଦ, ଚୀନ୍‌ର ପ୍ରସ୍ତାବିତ ଓ୍ଵାନ୍‌ ବେଲ୍‌ଟ ଓ୍ଵାନ୍‌ ରୋଡ୍‌(ଓବିଓଆର୍‌) ଏବଂ ପାକ୍‌-ଚୀନ୍‌ ଅର୍ଥନୈତିକ କରିଡର ନେଇ ଆଞ୍ଚଳିକ ଅସ୍ଥିରତା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମୋଦି-ଟ୍ରମ୍ପ୍‌ଙ୍କ ଏଭଳି ଆଭିମୁଖ୍ୟ ଚୀନ୍‌କୁ ଚକମା ଦେବ ବୋଲି ଅନୁମାନ କରାଯାଉଛି। ସୂଚନା ଥାଉ କି, ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ମିଳିତ କୂଟନୀତି ଆରମ୍ଭ କରିଛନ୍ତି। ସେହିପରି ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଥିବା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସମସ୍ତଙ୍କ ପାଇଁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଗତକାଲି ଏହି ୪ ରାଷ୍ଟ୍ର ମଧ୍ୟରେ ମିଳିତ ରଣନୀତି ନିର୍ଦ୍ଧାରଣ କରିବାକୁ ପ୍ରଥମ ପ୍ରତିନିଧିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସୁତରାଂ ଟ୍ରମ୍ପ-ମୋଦି ଆଲୋଚନା ପୂର୍ବରୁ ଚୀନ୍‌କୁ ଘେରିବା ଲାଗି ଏହି ଚତୁର୍ଦେଶୀୟ କୂଟନୀତି ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଆମେରିକା ସମେତ ସାରା ବିଶ୍ୱ ପ୍ରତି ଭାରତ ଆଶାନୁରୂପ ବନ୍ଧୁଭାବ ପ୍ରଦର୍ଶନ ଜାରି ରଖିବ ବୋଲି ମୋଦି କହିଛନ୍ତି।
ସେହିପରି ଟ୍ରମ୍ପ ତାଙ୍କର ଏହି ଏସିଆ ଗସ୍ତ କାଳରେ ଭାରତର ଭୂମିକାକୁ ସର୍ବତ୍ର ଗୁରୁତ୍ୱ ଦେଇ ଆସିଥିବାରୁ ମୋଦି ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଟ୍ରମ୍ପ୍‌ ଯେଉଁଠି ଯାହା ବି କହିଛନ୍ତି, ଭାରତ ସମ୍ପର୍କରେ ଅତି ଉଚ୍ଚ ଦୃଷ୍ଟିକୋଣ ରଖି କହିଛନ୍ତି। ତାଙ୍କର ଏହି ଭରସାକୁ ଭାରତ ସମ୍ମାନ ଦେବ ବୋଲି ମୋଦି କହିଛନ୍ତି।

ସମ୍ବନ୍ଧିତ ଖବର