ମୋଦୀଙ୍କୁ ୭୨ ଚାଲିଲା: ନେତା, ମନ୍ତ୍ରୀମାନଙ୍କ ଅଭିନନ୍ଦନ

ଜନ୍ମଦିନରେ ମୋ ମା’ଙ୍କୁ ଭେଟିପାରିନି, ଲକ୍ଷାଧିକ ମା’ ମତେ ଆର୍ଶୀବାଦ ଦେଇଛନ୍ତି: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୭୧ ପୂରି ୭୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବିରୋଧୀ ଦଳର ନେତାମାନଙ୍କଠାରୁ ଆରମ୍ଭ କରି ନିଜ ଦଳର ନେତା ଓ ମନ୍ତ୍ରୀମାନଙ୍କ ପକ୍ଷରୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିଛି। ମୋଦୀଙ୍କ ଜନ୍ମଦିନକୁ ପ୍ରାୟତଃ ବିକାଶ ପଦକ୍ଷେପ ‌ସହ ଯୋଡ଼ି ପାଳନ କରାଯାଇଥାଏ ଏବଂ ବିଜେପି ପକ୍ଷରୁ ଏହି ଅବସରରେ ସେବାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଏ ବର୍ଷ ବି ସେଥିରେ ବ୍ୟତିକ୍ରମ ହୋଇନାହିଁ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବୀୟ ଚିତାଙ୍କୁ ଛାଡ଼ିବାଠାରୁ ଆରମ୍ଭ କରି ୪ଟି ପ୍ରମୁଖ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ୭୨ତମ ଜନ୍ମଦିନର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି,- ଆପଣଙ୍କର ଅତୁଳନୀୟ କଠିନ ପରିଶ୍ରମ, ତ୍ୟାଗ ଓ ସର୍ଜନଶୀଳତା ମାଧ୍ୟମରେ ଦେଶ ଗଠନ ଆହୁରି ଆଗକୁ ବଢ଼ୁ।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ତାଙ୍କର ଯୁଗାନ୍ତକାରୀ ଦୂରଦୃଷ୍ଟି ଏବଂ ପ୍ରେରଣାଦାୟୀ ନେତୃତ୍ବ ଭାରତକୁ ଗୌରବର ନୂତନ ଉଚ୍ଚତାକୁ ଉତ୍ତୋଳିତ କରିଛି। ମୋଦୀଙ୍କ ସହଯୋଗୀ ମନ୍ତ୍ରୀମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ଭାରତୀୟ ସଂସ୍କୃତିର ନେତବାହକ ବୋଲି କହି ପ୍ରଶଂସା କରିଛନ୍ତି। ତାଙ୍କ ନେତୃତ୍ବରେ ଭାରତ ଏକ ବିଶ୍ବଶକ୍ତିରେ ପରିଣତ ହେବାକୁ ଯାଉଛି ଏବଂ ବିଶ୍ବ ନେତାମାନେ ତାଙ୍କୁ ବିଶେଷ ସମ୍ମାନ ଦେଉଛନ୍ତି ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ତାଙ୍କ ନେତୃତ୍ବ ଦେଶରେ ଯେପରି ସୁଶାସନ ଓ ବିକାଶ ଆଣିଛି, ତାହା ଆଗରୁ କେବେ ହୋଇ ନ ଥିଲା। ବିରୋଧୀ ଦଳ ନେତାମାନଙ୍କ ମଧ୍ୟରୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନ୍‌ସିପିର ଶରଦ ପାୱାର, ଆର୍‌‌ଜେଡିର ତେଜସ୍ବୀ ଯାଦବ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରମୁଖ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଜନ୍ମଦିନରେ ମୋ ମା’ଙ୍କୁ ଭେଟିପାରିନି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୨ରେ ପଦାର୍ପଣ କରିଛନ୍ତି। ମୋଦୀ ଆଜି ମଧ୍ୟପ୍ରଦେଶ ଜାତୀୟ ଉଦ୍ୟାନ କାର୍ଯ୍ୟକ୍ରମ ପ‌ରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କୁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ମୋଦୀ କହିଛନ୍ତି, ଜନ୍ମଦିନରେ ମୁଁ ସାଧାରଣତଃ ମୋ ମା’ଙ୍କୁ ଭେଟିଥାଏ ଏବଂ ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥା‌ଏ। କିନ୍ତୁ ଆଜି ମା’ଙ୍କୁ ଭେଟିପାରିନି। ତେବେ ମଧ୍ୟପ୍ରଦେଶରେ ଲକ୍ଷାଧିକ ମହିଳା ଏବଂ ମା’ମାନେ ଆଜି ମତେ ଆର୍ଶୀବାଦ କରିଛନ୍ତି। ମୋଦୀ କହିଛନ୍ତି, ଗତ ଶତାବ୍ଦୀ ଏବଂ ବର୍ତ୍ତମାନ ମହିଳା ଶକ୍ତିର ନୂଆ ଭାରତ ମଧ୍ୟରେ ବଡ଼ ପ୍ରଭେଦ ରହିଛି। ନୂଆ ଭାରତରେ ମହିଳାମାନେ ପଞ୍ଚାୟତ ଭବନଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସେମାନଙ୍କ ପତାକା ଉଡ଼ାଉଛନ୍ତି। ମୋଦୀ କହିଛନ୍ତି, ଦେଶର ସମସ୍ତ ମା’ ଏବଂ ଭଉଣୀମାନେ ମୋ ପ୍ରେରଣାର ଉତ୍ସ।

ସମ୍ବନ୍ଧିତ ଖବର