ନୂଆଦିଲ୍ଲୀ: କେତେବେଳେ ସର୍ଦ୍ଦାରଜୀ, ବଟୁକ ଭାଇ ତ କେତେବେଳେ ସ୍ୱାମୀଜୀ - ୧୯୭୫ ଜରୁରିକାଳୀନ ପରିସ୍ଥିତି ସମୟରେ ଗିରଫଦାରିରୁ ନିଜକୁ ବଞ୍ଚାଇବା ପାଇଁ ଏହି ସବୁ ନାମ ଓ ବେଶ ଧାରଣ କରୁଥିଲେ ନରେନ୍ଦ୍ର ମୋଦୀ। ସେହି ସମୟରେ 'ଛଦ୍ମବେଶ ଧାରଣରେ ମାଷ୍ଟର' ଭାବେ ପରିଚିତ ମୋଦୀ ବିଭିନ୍ନ ପରିଚୟ ଗ୍ରହଣ କରି ଗିରଫଦାରିରୁ ବର୍ତ୍ତିବା ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବାର୍ତ୍ତା ପ୍ରଚାର କରିବାରେ ସାହାଯ୍ୟ କରୁଥିଲେ। ଜରୁରିକାଳୀନ ପରିସ୍ଥିତି ସମୟରେ ସ୍ବେଚ୍ଛାଚାରୀ ସରକାର ବିରୋଧରେ ପ୍ରତିରୋଧ ଜାରି ରଖିବାକୁ ଆର୍‌ଏସ୍‌ଏସ୍‌ କର୍ମୀମାନେ ଅହରହ ପ୍ରୟାସ କରୁଥିଲେ। ଏହି ୨୧ ମାସ ମଧ୍ୟରେ ମୋଦୀ ଇନ୍ଦିରା ଗାନ୍ଧୀ ସରକାର ଦ୍ୱାରା ଲାଗୁ କରାଯାଇଥିବା କଠୋର ଜରୁରୀ ପରିସ୍ଥିତି ବିରୋଧରେ ପ୍ରଚାର ଅଭିଯାନ ଚଳାଇଥିଲେ। ଅହମଦାବାଦ, ରାଜକୋଟ ଓ ବଡ଼ୋଦରାକୁ ଯାତ୍ରା ସମୟରେ ‌େସ ଏକ ନୂଆ ପରିଚୟ ଆବିଷ୍କାର କରିଥିଲେ- 'ବଟୁକ ଭାଇ'।
ମୋଦୀ ମଧ୍ୟ ଗେରୁଆ ରଙ୍ଗର ପୋଷାକ ପିନ୍ଧି ସ୍ୱାମୀଜୀ ଭାବରେ ନିଜର ପରିଚୟ ଦେଇଥିଲେ। ଥରେ ସ୍ବାମୀନାରାୟଣ ସମ୍ପ୍ରଦାୟର ଜଣେ ଆଚାର୍ଯ୍ୟ ସେହି ସମୟରେ ନରେନ୍ଦ୍ର ମୋଦୀ ରହୁଥିବା କର୍ମୀଙ୍କ ଘରକୁ ଯାଇଥିଲେ। ସେତେବେଳେ ଘର ଲୋକମାନେ ମୋଦୀଙ୍କୁ ଉଦୟପୁରରୁ ଆସିଥିବା 'ସ୍ବାମୀଜୀ' ବୋଲି ଆଚାର୍ଯ୍ୟଙ୍କୁ ପରିଚୟ କରାଇଥିଲେ। ଶୁଭେଚ୍ଛା ଆଦାନପ୍ରଦାନ ପରେ ଅସଲି ସନ୍ନ୍ୟାସୀ ଓ ନକଲି ‘ସ୍ୱାମୀଜୀ’ଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଥିଲା।

Advertisment

ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ଭାବନଗର ଜେଲରେ ବନ୍ଦୀ ଥିବା ବିଷ୍ଣୁଭାଇ ପାଣ୍ଡ୍ୟା ଓ ଅନ୍ୟମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଜରୁରୀ ହୋଇପଡ଼ିଥିଲା। ଯେହେତୁ ଗୁପ୍ତ ଯୋଗାଯୋଗ ସମ୍ଭବ ନୁହେଁ, ତେଣୁ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଜେଲ୍ ଯାଇ ଆବଶ୍ୟକ ଆଲୋଚନା କରିବେ ବୋଲି ସ୍ଥିର ହୋଇଥିଲା। ସେପ୍ଟେମ୍ବର ୧୯୭୬ରେ ନରେନ୍ଦ୍ର ମୋଦୀ ଭାବନଗରରେ ପହଞ୍ଚିଥିଲେ। କଏଦୀମାନଙ୍କ ସହ ଏକ ସତ୍‌ସଙ୍ଗରେ ଯୋଗ ଦେବା ପାଇଁ ସେ ନିଜକୁ ‘ସ୍ୱାମୀଜୀ’ କହି ଜେଲ୍ ପରିସରରେ ପ୍ରବେଶ କରିଥିଲେ। ଆଉ ଥରେ ମୋଦୀ ମୁଣ୍ଡରେ ପାଗଡ଼ି ବାନ୍ଧି ‘ସର୍ଦ୍ଦାରଜୀ’ ବେଶ ଗ୍ରହଣ କରିଥିଲେ ଏବଂ ଏହା ପରବର୍ତ୍ତୀ ସମୟରେ ଚର୍ଚ୍ଚାରେ ରହିଥିଲା।