ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ବିଜୟ ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଜନସାଧାରଣଙ୍କ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ମା’ଙ୍କ ଦେହାନ୍ତ ପରେ ଏହା ହେଉଛି ତାଙ୍କର ପ୍ରଥମ ନିର୍ବାଚନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ୩ୟ ଥର ପାଇଁ ଏନଡିଏ ସରକାର ହେବା ନିଶ୍ଚିତ ।

Advertisment

ଜୟ ଜଗନ୍ନାଥ ସହ ସେ ନିଜର ଭାଷଣ ଆରମ୍ଭ କରିଥିଲେ ଓ କହିଥିଲେ ଯେ ପ୍ରଭୁ ଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ସେ ମଧ୍ୟ ଆନ୍ଧ୍ରପ୍ରଦେଶରେ ଏନଡିଏ ସରକାର ଓ କେରଳର ବିଜେପି ପ୍ରଥମ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ବିଜେପି ମୁଖ୍ୟାଳୟରେ ଉପସ୍ଥିତ କର୍ମୀମାନଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ଏହା ଭାରତର ସମ୍ବିଧାନ ପ୍ରତି ଅତୁଟ ଆନୁଗତ୍ୟର ବିଜୟ। ଏହା ୧୪୦ କୋଟି ଭାରତୀୟଙ୍କ ବିଜୟ। ମୁଁ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବି। ନିର୍ବାଚନ ଆୟୋଗ ବିଶ୍ୱର ସର୍ବବୃହତ ନିର୍ବାଚନକୁ ଏତେ ଦକ୍ଷତାର ସହ ପରିଚାଳନା କରିଥିଲେ।