ନୂଆଦିଲ୍ଲୀ: ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ଆମନ୍ତ୍ରଣ କ୍ରମେ ମୋଦୀଙ୍କର ଏହା ପ୍ରଥମ ନାଇଜେରିଆ ଗସ୍ତ | ଏହି ଗସ୍ତକୁ ନେଇ ମୋଦୀ କହିଛନ୍ତି ଯେ ଆମର ରଣନୀତିକ ସହଭାଗିତା ଯାହାକି ଗଣତନ୍ତ୍ର ଓ ବହୁଳବାଦର ପାରସ୍ପରିକ ବିଶ୍ୱାସ ଆଧାରିତ ତାକୁ ସୁଦୃଢ଼ କରିବା ପାଇଁ ମୋର ଗସ୍ତ ଏକ ସୁଯୋଗ । ସେହିପରି ମୋଦୀ ବ୍ରାଜିଲରେ ୧୯ ତମ ଜି-୨୦ ଶିଖର ସମ୍ମିଳନୀରେ ଟ୍ରୋଇକା ସଦସ୍ୟ ଭାବେ ଯୋଗ ଦେବେ । ଏନେଇ ମୋଦୀ କହିଛନ୍ତି ଯେ ଗତ ବର୍ଷ ଭାରତ ସଫଳତାର ସହ ଅଧ୍ୟକ୍ଷତା କରିବା କରି ଜି-୨୦କୁ ଜନସାଧାରଣଙ୍କ ଜି-୨୦ ଭାବେ ଶୀର୍ଷକୁ ନେଇଥିଲା ଏବଂ ଗ୍ଲୋବାଲ ସାଉଥର ଅଗ୍ରାଧିକାରକୁ କାର୍ଯ୍ୟସୂଚୀରେ ସାମିଲ କରିପାରିଥିଲା ।

Advertisment

ଚଳିତ ବର୍ଷ ବ୍ରାଜିଲ ଏହେି ପରମ୍ପରାକୁ ଆଗକୁ ନେବ । ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଦୃଷ୍ଟିକୋଣ ଅନୁଯାୟୀ ଫଳପ୍ରଦ ଆଲୋଚନାକୁ ମୁଁ ଅପେକ୍ଷା କରି ରହିଛି । ଅନ୍ୟାନ୍ୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କରେ ଭାବ ବିନିମୟ କରିବାକୁ ମଧ୍ୟ ଏହି ସୁଯୋଗର ମୁଁ ସଦ୍‌ବ୍ୟବହାର କରିବି । ସେହିପରି ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ଗୁୟାନା ଗସ୍ତ ମଧ୍ୟ କରିବେ | ବିଗତ ୫୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁୟାନା ଗସ୍ତ ହେବ । ଏହି ଗସ୍ତ ନେଇ ମୋଦୀ କହିଛନ୍ତି ଯେ ଐତିହ୍ୟ, ସଂସ୍କୃତି ଓ ନୈତିକତା ଆଧାରରେ ଆମର ସ୍ୱତନ୍ତ୍ର ସମ୍ପର୍କକୁ ରଣନୀତିକ ଦିଗକୁ ନେବାକୁ ଆମେ ଭାବ ବିନିମୟ କରିବୁ । ଭାରତର ଏକ ପୁରାତନ ସମୁଦାୟ ଯେଉଁମାନେ କି ୧୮୫ ବର୍ଷ ପୂର୍ବେ ଗୁୟାନା ଚାଲି ଯାଇଥିଲେ ସେମାନଙ୍କୁ ମୁଁ ସମ୍ମାନ ଜଣାଇବି ଏବଂ ଲୋକତନ୍ତ୍ରର ସାଥୀ ଭାବେ ସଂସଦରେ ମୁଁ ଉଦବୋଧନ ଦେବି ।