ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନଭୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନୀ ସମାରୋହରେ କଂଗ୍ରେସ ଦଳକୁ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଘେରିଛନ୍ତି। ପାକିସ୍ତାନୀ ସେନା ଓ ଗୁଇନ୍ଦା ସଂସ୍ଥା ସହାୟତାରେ ପାକ୍ ଆତଙ୍କୀମାନେ ଯେଉଁ ବର୍ବର ଆକ୍ରମଣ କରିଥିଲେ କଂଗ୍ରେସ ତା’ର ଜବାବୀ କାର୍ଯ୍ୟାନୁଷ୍ଠାନ କରିନଥିବାରୁ ଆଜି ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦମ୍ବରମ ଏ ବାବଦରେ ନିକଟରେ ଦେିଥିବା ବିବୃତିକୁ ଅସ୍ତ୍ର କରି ପ୍ରଧାନମନ୍ତ୍ରୀ କଂଗ୍ରେସ ସରକାରର ନିର୍ଭୀକତା ଓ ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ ଚିଦମ୍ବରମ କହିଥିଲେ, ୨୬/୧୧ ପରେ ସେ ବ୍ୟକ୍ତିଗତ ଭାବେ ପାକିସ୍ତାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣର ସମର୍ଥନରେ ଥିଲେ, କିନ୍ତୁ କଂଗ୍ରେସ ସରକାର ବୈଶ୍ବିକ ଚାପ ଯୋଗୁଁ ଏହାକୁ କାର୍ଯ୍ୟକାରୀ କରିନଥିଲା। ସେ ଉଲ୍ଲେଖ କରିଥିଲେ ଯେ, ସେତେବେଳର ଆମେରିକୀୟ ବିଦେଶ ସଚିବ କଣ୍ଡୋଲିଜା ରାଇସ୍ ନୂଆଦିଲ୍ଲୀରେ ପହଞ୍ଚି ଯୁଦ୍ଧ ଆରମ୍ଭ ନକରିବାକୁ ଆହ୍ୱାନ ଦେଇଥିଲେ। ଏହା ଯୋଗୁଁ ସରକାର ପାକିସ୍ତାନ ବିରୋଧରେ ପାଲଟା କାର୍ଯ୍ୟାନୁଷ୍ଠାନକୁ ରୋକିଦେଇଥିଲେ ବୋଲି ଚିଦମ୍ବରମ କହିଥିଲେ।
ଏହି ବୟାନକୁ ନେଇ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଜଣେ ବଡ଼ କଂଗ୍ରେସ୍ ନେତା, ଯିଏ ଭାରତର ଗୃହମନ୍ତ୍ରୀ ମଧ୍ୟ ଥିଲେ, ସମ୍ପ୍ରତି କହିଛନ୍ତି ଯେ ୨୬/୧୧ ପରେ ଭାରତୀୟ ସେନା ପାକିସ୍ତାନ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲା ଏବଂ ଦେଶ ମଧ୍ୟ ଏହା ଚାହୁଥିଲା, କିନ୍ତୁ ସେତେବେଳେ କଂଗ୍ରେସ ସରକାର ଅନ୍ୟ ଦେଶର ଚାପରେ ଏହା ରୋକିଥିଲା।’ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଦଳ ଏ ବାବଦରେ ଉତ୍ତର ଦେବା ଉଚିତ ଏବଂ କିଏ ଏହି ନିଷ୍ପତ୍ତି ନେଇଥିଲେ ତାହା ମଧ୍ୟ ଜଣାଇବା ଆବଶ୍ୟକ। କଂଗ୍ରେସର ଦୁର୍ବଳତା ଆତଙ୍କବାଦୀଙ୍କୁ ଉତ୍ସାହିତ କରିଥିଲା ଓ ଭାରତର ସୁରକ୍ଷାକୁ ଦୁର୍ବଳ କରିଥିଲା। ଏହାର ମୂଲ୍ୟ ଭାରତକୁ ବାରମ୍ବାର ଦେବାକୁ ପଡ଼ିଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନିଜ ସରକାରର ନୀତିକୁ ଗୁରୁତ୍ବାରୋପ କରି କହିଛନ୍ତି, ଆଜିର ଭାରତ ଦେଶର ସୁରକ୍ଷାକୁ ପ୍ରାଧାନ୍ୟ ଦିଏ ଓ ପାକିସ୍ତାନରେ ପଶି ଶତ୍ରୁକୁ ଜବାବ ଦିଏ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଅପରେସନ୍ ସିନ୍ଦୂରକୁ ଉଦାହରଣ ଦେଇଥିଲେ। ସୂଚନାଯୋଗ୍ୟ, ଏପ୍ରିଲରେ ପହଲଗାମରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତୀୟ ସେନା ପାକିସ୍ତାନର ଲସ୍କର-ଏ-ତୋଏବା ଓ ଜୈସ-ଏ-ମହମ୍ମଦକୁ ଟାର୍ଗେଟ୍ କରି ଭୀଷଣ ଆକ୍ରମଣ କରିଥିଲା।