ପୁଟିନଙ୍କୁ ଭେଟିବାକୁ ଯିବେ ନାହିଁ ମୋଦୀ

ନୂଆଦିଲ୍ଲୀ : ଭାରତ ଓ ରୁଷ ମଧ୍ୟରେ ହେଉଥିବା ଦ୍ବିପାକ୍ଷିକ ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋ ଗସ୍ତରେ ଯିବେ ନାହିଁ । ୟୁକ୍ରେନ ଯୁଦ୍ଧ କାରଣରୁ ଏହି ଗସ୍ତକୁ ସ୍ଥଗିତ ରଖାଯିବାର ସମ୍ଭାବନା ରହିଛି ।

ଭାରତ ଓ ରୁଷ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କକୁ ବୃଦ୍ଧି କରିବାକୁ ପ୍ରତିବର୍ଷ ଏକ ଦ୍ବିପାକ୍ଷିକ ଶିଖର ବୈଠକ ହୋଇଥାଏ । ଏଥିରେ ରୁଷର ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ଯୋଗ ଦିଅନ୍ତି । ଗତ ବର୍ଷ ଡିସେମ୍ବରେ ନୂଆଦିଲ୍ଲୀରେ ହୋଇଥିବା ବୈଠକରେ ଯୋଗ ଦେବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମାତ୍ର ୬ ଘଣ୍ଟା ପାଇଁ ଭାରତ ଆସିଥିଲେ । ଏବର୍ଷର ବୈଠକ ମସ୍କୋରେ ହେବାର ଥିଲା ଓ ଭାରତର ପ୍ରଧାନମନ୍ତ୍ରୀ  ମସ୍କୋ ଯିବାର ଥିଲା ।

କିନ୍ତୁ ଏବେ ମିଳିଥିବା ସୂଚନା ଅନୁସାରେ ଏବର୍ଷର ବୈଠକକୁ ବାତିଲ କରିଦିଆଯାଇଛି । ରୁଷ ପକ୍ଷରୁ ଏହି ବୈଠକ ପାଇଁ କୌଣସି ତାରିଖ ଘୋଷଣା କରାଯାଇନଥିଲା ।

ରୁଷ ଦ୍ବାରା ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନେ ରୁଷ ସହ ସଂପର୍କକୁ ସମୀକ୍ଷା କରିବାକୁ ଭାରତ ଉପରେ ଚାପ ପକାଉଛନ୍ତି । ଭାରତ ଅନ୍ତର୍ଜାତୀୟ ସ୍ତରରେ ୟୁକ୍ରେନ ଯୁଦ୍ଧକୁ ନେଇ ନିରପେକ୍ଷ ରହିଥିଲେ ବି ଜାତିସଂଘରେ ରୁଷ ବିରୋଧୀ ଯୁଦ୍ଧରେ ହୋଇଥିବା ଭୋଟିଂରେ ଭାଗ ନେଇନଥିଲା । ଏହାକୁ ନେଇ ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର