ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ସ୍ବାଧୀନ ଭାରତରେ ଇନ୍ଦିରା ଗାନ୍ଧୀଙ୍କ ପରେ ସେ ହେଉଛନ୍ତି ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ। କେନ୍ଦ୍ର ବଜେଟ୍ ୨୦୨୦-୨୧ରେ ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଆଦି ଦୁର୍ବଳ ଶ୍ରେଣୀର ବିକାଶ ଲାଗି ବିଶେଷ ଗୁରୁତ୍ବ ଦିଆଯାଇଛି। ଏଥିସହ ଝିଅମାନଙ୍କର ସବର୍ନିମ୍ନ ବିବାହ ବୟସ ବୃଦ୍ଧି ନେଇ ସରକାର ଚିନ୍ତା କରୁଥିବା ବିଷୟ ବଜେଟ୍ ଜରିଆରେ ପ୍ରକାଶିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶରେ ବର୍ତ୍ତମାନ ପୁରୁଷଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ଥିବା ବେଳେ ମହିଳାଙ୍କ ପାଇଁ ଏହି ବୟସ ୧୮ ବର୍ଷ ରହିଛି । ନିର୍ଦ୍ଧାରିତ ସୀମାରୁ କମ୍ ବୟସରେ ବିବାହ କଲେ ଏହା ବାଲ୍ୟ ବିବାହ ନିରୋଧୀ ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ । ଏହାକୁ ପରିବର୍ତ୍ତନ କରାଯାଇ ୨୧ ବର୍ଷ କରାଯିବା ପାଇଁ ପ୍ରସ୍ତାବ ରହିଛି। ମହିଳାମାନଙ୍କ ବିବାହ ବୟସ ସର୍ବନିମ୍ନ ୨୧ ବର୍ଷ କରିବାକୁ ସରକାରଙ୍କ ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସ ୬ ମାସ ମଧ୍ୟରେ ସୁପାରିସ ଦେବ। ଏପରି ହେବା ଦ୍ବାରା ଦେଶରେ ନାରୀ ଶିକ୍ଷା ହାରରେ ବୃଦ୍ଧି ଘଟିବ। ଖାଲି ସେତିକି ନୁହେଁ, ମାତୃ ମୃତ୍ୟୁହାରକୁ ବି ରୋକାଯାଇ ପାରିବ।
ପୂର୍ବରୁ ୧୯୨୯ ମସିହାରେ ବିବାହ ପାଇଁ ମହିଳାଙ୍କ ସର୍ବନିମ୍ନ ବୟସ ୧୪ ଥିବା ବେଳେ ପୁରୁଷଙ୍କର ବୟସସୀମା ରହିଥିଲା ୧୮ ବର୍ଷ। ଏହାର ପୃଷ୍ଠପୋଷକ ହରବିଶାଲ ସାରଦାଙ୍କ ନାଁରେ ଏହି ଆଇନକୁ ସାରଦା ଆକ୍ଟ ବୋଲି ମଧ୍ୟ କୁହାଯାଏ । ଏହା ପୂର୍ବରୁ ବିବାହ କଲେ ବାଲ୍ୟ ବିବାହ ଭାବେ ଗ୍ରହଣ କରାଯାଉଥିଲା। ୧୯୭୮ ମସିହାରେ ଏହି ଆଇନ୍ରେ ପରିବର୍ତ୍ତନ ଆସିଲା। ସଂଶୋଧିତ ଆଇନ୍ ମୁତାବକ ବିବାହ ଲାଗି ମହିଳାଙ୍କ ସର୍ବନିମ୍ନ ବୟସସୀମା ୧୮ ସ୍ଥିର କରାଯିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ୨୧ ବର୍ଷ ସ୍ଥିର କରା ଯାଇଥିଲା। ସେହିପରି ୨୦୦୬ରେ ସାରଦା ଆଇନକୁ ଉଚ୍ଛେଦ କରି ଦେଶରେ ବାଲ୍ୟ ବିବାହ ନିରୋଧୀ ଆଇନ ମଧ୍ୟ ଲାଗୁ ହୋଇଥିଲା।
ଏକ ଆକଳନ ଅନୁସାରେ ଦେଶରେ ପ୍ରତି ୧୦୦୦ ଜଣରେ ୪ଜଣରୁ ଅଧିକ ମହିଳାଙ୍କର ପ୍ରସବ ସମୟରେ ମୃତ୍ୟୁ ହେଉଛି । ତେଣୁ ଏହାକୁ ରୋକିବା ପାଇଁ ମହିଳାଙ୍କ ମାତୃତ୍ୱ ବୟସ ନିର୍ଦ୍ଧାରଣ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ମହିଳାଙ୍କ ସର୍ବନିମ୍ନ ବିବାହ ବୟସରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।
ବଜେଟ୍ ଉପସ୍ଥାପନ ସମୟରେ ନିର୍ମଳା ତାଙ୍କ ଅଭିଭାଷଣରେ କହିଛନ୍ତି ‘ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ସଫଳ ହୋଇଛି। ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଥିବା ଭାରତରେ ମହିଳାଙ୍କ ପାଇଁ ଉଚ୍ଚଶିକ୍ଷା ଓ କର୍ମ ସଂସ୍ଥାନର ସୁଯୋଗ ସୃଷ୍ଟି ହୋଇଛି । ତେଣୁ ମାତୃ ମୃତ୍ୟୁ ହାରକୁ ରୋକିବା ଜରୁରୀ ହୋଇପଡିଛି।’
ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ବଜେଟରେ ମହିଳାମାନଙ୍କ ବିକାଶ ଲାଗି ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ୨୮,୬୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ସେହିପରି ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ ପାଇଁ ୮୫,୦୦୦ କୋଟିର ବ୍ୟୟ ବରାଦ ହୋଇଥିବା ବେଳେ ଅନୁସୂଚିତ ଜାତିର ବିକାଶ ପାଇଁ ୫୩,୭୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସରକାର ବେଶି ଯତ୍ନଶୀଳ ହୋଇ ୨୦୨୦-୨୧ ବର୍ଷ ପାଇଁଁ ୯,୫୦୦ କୋଟିର ବ୍ୟବସ୍ଥା କରିଛନ୍ତି।