ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ମୋଦୀ-ଜିନପିଙ୍ଗ୍ ସାକ୍ଷାତ

ବାଲି : ଇଣ୍ଡୋନେସିଆର ବାଲି ଦ୍ବୀପଠାରେ ଚାଲିଥିବା ଜି-୨୦ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭେଟ ହୋଇଛି । ୨୦୨୦ରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଉଭୟ କରମର୍ଦ୍ଦନ କରିଛନ୍ତି ।

ତେବେ ମଙ୍ଗଳବାର ହୋଇଥିବା ସାକ୍ଷାତ କେବଳ ଏକ ସଂକ୍ଷିପ୍ତ ତଥା ଅଣଔପଚାରିକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ଜି-୨୦ ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରମୁଖ୍ୟମାନଙ୍କ ସମ୍ମାନରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଦେଇଥିବା ରାତ୍ରଭୋଜନ ଅବସରରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିଲା ।

ଗତ ସେପ୍ଟେମ୍ବର ମାସରେ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଉଭୟ ମୋଦୀ ଓ ଜିନ ପିଙ୍ଗ୍ ଯୋଗ ଦେଇଥିଲେ ବି ସାକ୍ଷାତ ହୋଇନଥିଲା । ଏପରିକି ଗୋଟିଏ ମଞ୍ଚରେ ଛିଡ଼ା ହୋଇଥିଲେ ବି ଉଭୟ ପରସ୍ପରର ମୁହଁ ଚାହିଁନଥିଲେ ।

୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରିଥିଲା । ତେବେ ଚୀନର ଏହି ଦାବି ବିଭିନ୍ନ ଅନ୍ତର୍ଜାତୀୟ ଗୁଇନ୍ଦା ଏଜେନ୍ସିମାନେ ଭୁଲ ବୋଲି କହିଥିଲେ । ଏହି ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ । ପରେ ଅନେକ ଥର ଆଲୋଚନା ପରେ ଚୀନ ଓ ଭାରତୀୟ ସେନା କେତେକ ଅଂଚଳରୁ ପଛକୁ ହଟିବାକୁ ସହମତ ହୋଇଥିଲେ ।

 

ସମ୍ବନ୍ଧିତ ଖବର