ନୂଆଦିଲ୍ଲୀ: ପୂର୍ବ ଭାରତର ପ୍ରମୁଖ ଚିତ୍ରକଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରି(ଭୁବନେଶ୍ବର) ପକ୍ଷରୁ ସ୍ଥାନୀୟ ଲଳିତ କଳା ଆର୍ଟ ଗ୍ୟାଲେରି ପରିସରରେ ମୋଦି@୨୦ ଜାତୀୟ ଚିତ୍ରକଳା ପ୍ରର୍ଦଶନୀ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ସଂସ୍କୃତି ଓ ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଆଧାରିତ ‌୨୦୦ରୁ ଊର୍ଦ୍ଧ୍ବ ଚିତ୍ରକଳାକୁ ଏଠାରେ ପ୍ରଦର୍ଶନ କରାଯାଇଛି। ଚିତ୍ରକଳାଗୁଡ଼ିକୁ ଦେଶର ତରୁଣ ଚିତ୍ରଶିଳ୍ପୀଙ୍କ ଦ୍ବାରା ଅଙ୍କନ କରାଯାଇଛି।

Advertisment

ପ୍ରଦର୍ଶନୀରେ ଦେଶର କୋଣ ଅନୁକୋଣରୁ ୫୦ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନ ଅବସରରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଯତୀନ ଦାସ, ଭୋଜପୁରୀ ତାରକା ତଥା ସାଂସଦ ମନୋଜ ତିୱାରୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ଉମା ନନ୍ଦୁରି ଓ ଲଳିତ କଳା ଏକାଡେମିର ଅଧ୍ୟକ୍ଷ ଭି.ନାଗଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ତିନିଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରର୍ଦଶନୀରେ କର୍ମଶାଳା, ଆଲୋଚନାଚକ୍ର ସହିତ ପ୍ରମୁଖ ଶିଳ୍ପୀମାନଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାଇଭ୍‌ ପେଣ୍ଟିଂ ଉପସ୍ଥାପନ କରାଯିବ। ଏଭଳି ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଦ୍ବାରା ଯୁବ ସମାଜକୁ ମୋଦୀଙ୍କ ବାର୍ତ୍ତାର ପ୍ରସାର ହୋଇପାରିବ ବୋଲି ସୁଭଦ୍ରା ଆର୍ଟ ଗ୍ୟାଲେରିର ଅଧ୍ୟକ୍ଷ ଡ.ସୂର୍ଯ୍ୟ ରଥ କହିଥିଲେ।

ଉଲ୍ଲେଖଯୋଗ୍ୟ, ମୋଦୀ ୨୦@ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ପୂର୍ବରୁ ଭୁବନେଶ୍ବର, ପୁରୀ, ଗୌହାଟୀ, ନାଗପୁର, ଭୋପାଳ, ଅହମଦାବାଦ, ବରୋଦା ଓ ବାରାଣସୀରେ ହୋଇସାରିଛି। ଆଗାମୀ ଦିନରେ ବିଦେଶରେ ମଧ୍ୟ ପ୍ରଦର୍ଶନୀ ଆୟୋଜନ କରାଯିବା ପାଇଁ ଯୋଜନା କରାଯାଉଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଥ କହିଛନ୍ତି। ଦିଲ୍ଲୀରେ ଆରମ୍ଭ ହୋଇଥିବା ପ୍ରର୍ଦଶନୀକୁ ବିଶିଷ୍ଟ ଚିତ୍ରଶିଳ୍ପୀ ଡ. ରଂଜନ ମଲ୍ଲିକ ସଂଯୋଜନା କରୁଛନ୍ତି। ପ୍ରଦର୍ଶନୀ ଆୟୋଜନ କମିଟିର ଅଧ୍ୟକ୍ଷ ଶଙ୍କର ପରିଡ଼ା, ଗ୍ୟାଲେରି ନିର୍ଦ୍ଦେଶକ ଅଶୋକ ନାୟକ, ସଂଗଠକ ଜଗନ୍ନାଥ କୁଂଜବିହାରୀ ପ୍ରମୁଖଙ୍କର ଏଥିରେ ସକ୍ରିୟ ଯୋଗଦାନ ରହିଛି।